ସମ୍ବଲପୁର, ୩ ଜାନୁଆରୀ : ହୀରାକୁଦ ପାୱାର ଚ୍ୟାନେଲ୍ ତଳ ମହାନଦୀ ପଠାରୁ ଆଜି ସକାଳେ ପୋଲିସ ଉଦ୍ଧାର କରିଥିବା ମୃତଦେହର ପରିଚୟ ମିଳିଛି । ସମ୍ପୃକ୍ତ ଯୁବତୀ ଜଣକ ସମ୍ବଲପୁର ଆଲବମ୍ ଅଭିନେତ୍ରୀ ସିମ୍ରନ୍ ସିଂ (୧୮) ବୋଲି ଜଣାପଡିଛି । ପାରିପାଶ୍ୱର୍କ ସ୍ଥିତିରୁ ତାଙ୍କୁ ହତ୍ୟା ପରେ ବ୍ରିଜ୍ ଉପରୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁଯାୟୀ, ଆଜି ସକାଳେ ସିମ୍ରନଙ୍କ କ୍ଷତାକ୍ତ ମୃତଦେହ ଗୋଇରା ମଠ ନିକଟ ମହାନଦୀ ପୋଲତଳେ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସେମାନେ ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଥିଲା । ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଳାଇଥିଲା । ପ୍ରେମ କିମ୍ବା ବ୍ୟବସାୟିକ ଶତୃତାକୁ ନେଇ ତାଙ୍କୁ ହତ୍ୟା କରାଯାଇପାରିଥାଏ ବୋଲି ପୋଲିସ ଅନୁମାନ କରୁଛି । ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି, ଏହା ଆତ୍ମହତ୍ୟା କିମ୍ବା ହତ୍ୟାକାଣ୍ଡ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ଅନ୍ୟପକ୍ଷରେ ସେ ଗତବର୍ଷ ବଲାଙ୍ଗୀର ଅଂଚଳର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର ଦୁଇ ମାସ ପରେ ଯୁବକ ଜଣକ ବିଭିନ୍ନ ସମୟରେ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲା । ଏପରିକି ଅଭିଯୁକ୍ତ ପ୍ରେମିକ ଗତ କିଛି ଦିନ ହେଲା ଅନ୍ୟତ୍ର ବିବାହ ପାଇଁ ପ୍ରସ୍ତୁତି ଚଳାଇଥିଲା । ଯେଉଁଥିପାଇଁ ସେ ସିମ୍ରନ୍ ଙ୍କୁ ହତ୍ୟା କରିଥିବା ନେଇ ତାଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି । ମୃତ ଅଭିନେତ୍ରୀଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ ପ୍ରଥମେ ପିଟି ପିଟି ହତ୍ୟା କରିବା ପରେ ଏଠାରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗରେ ଦର୍ଶାଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବହୁ ଚର୍ଚ୍ଚିତ ସମ୍ବଲପୁରୀ ଆଲବମ୍ ସେଲ୍ଫି ବେବୋ ଜରିଆରେ ସେ ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଥିଲେ । ଏହା ବ୍ୟତୀତ ତାଙ୍କର ଏକ ଲୋକପ୍ରିୟ ଆଲବମ୍ ହେଉଛି ରିକ୍ସାବାଲା ରିଟର୍ଣ୍ଣସ୍ । ନିଜର ନୃତ୍ୟ ପରାକାଷ୍ଠା ଓ ଗ୍ଲାମରସ୍ ଅନ୍ଦାଜ ପାଇଁ ସେ ଯୁବପୀଢ଼ି ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

LEAVE A REPLY

Please enter your comment!
Please enter your name here