ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ୩୪ ରନ୍‌ରେ ହାରିଯାଇଛି । ଓପନର ରୋହିତ ଶର୍ମା ୧୩୩ ଓ ମହେନ୍ଦ୍ର ସିଂହ ଧୋନିଙ୍କ ୫୧ ରନ୍‌ର ଉପଯୋଗୀ ଇନିଂସ ସତ୍ତେ୍ୱ ଭାରତ ୨୮୯ ରନ୍‌ର ବିଜୟ ଲକ୍ଷ୍ୟରେ ପହଞ୍ଚି ପାରିନଥିଲା । ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିବା ରିଚାର୍ଡସନ୍‌ଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି । ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୫ ୱିକେଟ୍‌ ହରାଇ ୨୮୮ ରନ୍‌ କରିଥିଲା । ଏହାକୁ ପିଛା କରି ଭାରତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୨୫୪ ରନ୍‌ କରିବାକୁ ସମର୍ଥ ହୋଇଥିଲା ।
ଅଷ୍ଟ୍ରେଲିଆ ଦେଇଥିବା ୨୮୯ ରନ୍‌ ଟାର୍ଗେଟର ପିଛା କରୁଥିବା ଟିମ୍‌ ଇଣ୍ଡିଆ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ୪ ଓଭରରେ ୪ ରନରେ ୩ଟି ୱିକେଟ୍‌ ହରାଇଥିଲା । ଶିଖର ଧାୱନ ଓ ଅମ୍ବାତି ରାୟୁଡୁ ଖାତା ଖୋଲି ପାରି ନଥିବା ବେଳେ ଅଧିନାୟକ ବିରାଟ କୋହଲି ୩ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ । ତେବେ ୪ର୍ଥ ୱିକେଟ୍‌ ପାଇଁ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମାଙ୍କ ମଧ୍ୟରେ ୧୩୭ ରନର ଭାଗିଦାରୀ ହୋଇଥିଲା । ଦୁହେଁ ଟିମ୍‌ ଇଣ୍ଡିଆର ବ୍ୟାଟିଂ ମଙ୍ଗଧରି ବିଜୟଆଶା ଦେଇଥିଲେ । କିନ୍ତୁ ଧିମା ରନ୍‌ ସଂଗ୍ରହ ଦଳ ପାଇଁ କାଳ ସାଜିଥିଲା । ଏପରିକି ଧୋନି ୫୧ ରନ୍‌ କରି ବେହରନ୍‌ଡର୍ଫଙ୍କ ବଲରେ ଆଉଟ୍‌ ହେବାରୁ ମ୍ୟାଚ୍‌ର ଫଳାଫଳ ଓଲଟପାଲଟ ହୋଇଯାଇଥିଲା । ଧୋନି ୯୬ ବଲର ସମ୍ମୁଖିନ ହୋଇ ୫୧ ରନ୍‌ କରିଥିଲେ । ଏହାପରେ ଏକାକୀ ଲଢ଼ିଥିଲେ ରୋହିତ । ସେ ୧୨୯ ବଲ୍‌ରୁ ୧୦ ଚୌକା ଓ ୬ ଛକା ସହାୟତାରେ ୧୩୩ ରନ୍‌ର ଇନିଂସ୍‌ ଖେଳି ଦିନିକିଆ କ୍ୟାରିୟରର ୨୨ତମ ଶତକ ହାସଲ କରିଥିଲେ । ସେତେବେଳକୁ ଅନେକ ବିଳମ୍ବ ହୋଇସାରିଥିଲା । ଦିନେଶ କାର୍ତ୍ତିକ ୧୨ ଓ ରବିନ୍ଦ୍ର ଜାଡେଜା ୮ ରନ୍‌ କରି ସଭିଙ୍କୁ ନିରାଶ କରିଛନ୍ତି । ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୨୩ ବଲ୍‌ରୁ ୨୯ ରନ୍‌ କରି ପରାଜୟ ବ୍ୟବଧାନକୁ ସାମାନ୍ୟ କମାଇଥିଲେ । କୁଲଦୀପ ୩ ଓ ସାମି ୧ ରନ କରିଥିଲେ । ବୋଲିଂରେ ରିଚାଡସନ୍‌ ୪ଟି, ବେହରନ୍‌ଡର୍ଫ ଓ ଷ୍ଟୋଇନିସ୍‌ ୨ଟି ଲେଖାଏଁ ଏବଂ ପିଟର ସିଡଲୀ ଗୋଟିଏ ୱିକେଟ୍‌ ସଫଳତା ପାଇଥିଲେ ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆର ଉସ୍ମାନ୍‌ ଖ୍ୱାଜା ୫୯, ସନ୍‌ମାର୍ସ ୫୪, ପିଟରହ୍ୟାଣ୍ଡସ୍‌କମ୍‌ ୭୩, ଷ୍ଟୋଇନିସ୍‌ ୪୭ ଓ ମ୍ୟାକ୍ସେୱଲ ୧୧ ରନ୍‌ କରିବାରୁ ୫୦ ଓଭରରେ ୫ ୱିକେଟ୍‌ ହରାଇ ୨୮୮ ରନର ଚାଲେଞ୍ଜିଂ ସ୍କୋର ହୋଇଥିଲା । ଭୁବନେଶ୍ୱର କୁମାର ଓ କୁଲଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ୍‌ ସଫଳତା ପାଇଥିଲେ । ଆଗାମୀ ୧୫ ତାରିଖରେ ଆଡିଲେଡରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବ । ବିଜୟସହ ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି ।

LEAVE A REPLY

Please enter your comment!
Please enter your name here