ବସନ୍ତଙ୍କୁ ୫ ୱିକେଟ୍‌
ଭୁବନେଶ୍ୱର : ବିସିସିଆଇର ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ପଞ୍ଚମ ପର୍ଯ୍ୟାୟ ମ୍ୟାଚ୍‌ ଆରମ୍ଭ ହୋଇଛି । ଏଲିଟ୍‌ ଗ୍ରୁପ୍‌ ସି’ର ଏକ ମ୍ୟାଚ୍‌ ରାଞ୍ଚିରେ ଘରୋଇ ଝାଡ଼ଖଣ୍ଡ ଏବଂ ଓଡ଼ିଶା ମଧ୍ୟରେ ଖେଳାଯାଉଛି । ପ୍ରଥମ ଦିବସରେ ଦ୍ରୁତ ବୋଲର ବସନ୍ତ ମହାନ୍ତି ୫ ୱିକେଟ୍‌ ନେଇ ଝାଡ଼ଖଣ୍ଡର ବିପର୍ଯ୍ୟୟ ଘଟାଇଥିଲେ । ଝାଡ଼ଖଣ୍ଡ ୧୭୨ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିବା ବେଳେ ଷ୍ଟମ୍ପଅପସାରଣ ବେଳକୁ ଓଡ଼ିଶା ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରି ୧୩ ଓଭରରେ ୩ ୱିକେଟ୍‌ ହରାଇ ୨୭ ରନ୍‌ କରିଛି । ଓପନର ଅନୁରାଗ ଷଡଙ୍ଗୀ ୯ ଓ ଅଧିନାୟକ ବିପ୍ଳବ ସାମନ୍ତରାୟ ୧୦ ରନ୍‌ କରି ଅପରାଜିତ ଅଛନ୍ତି ।
ଟସ୍‌ ଜିତି ଓଡ଼ିଶା ବୋଲିଂ ନିଷ୍ପତ୍ତି ନେଇଥିଲା । ଏହାକୁ ସଠିକ୍‌ ବୋଲି ପ୍ରମାଣିତ କରିଥିଲେ ବୋଲର । ବସନ୍ତ ୫ଟି ଚଳିତ ରଣଜୀ ନୀତିରେ ଡେବୁ୍ୟ କରିଥିବା ନବାଗତ ରାଜେଶ ମହାନ୍ତି ୩, ଧିରଜ ସିଂ ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏଁ ୱିକେଟ୍‌ ସଫଳତା ପାଇଥିଲେ । ଝାଡ଼ଖଣ୍ଡର ଦେବବ୍ରତ ୨୯, ନଜିମ୍‌ ସିଦ୍ଦିକ୍‌ ୨୩, ଉତ୍କର୍ଷ ସିଂ ୨୧, ଇଶାଙ୍କ ଜାଗି ୩୪, ସୁମିତ କୁମାର ୧୫, ବରୁଣ ଆରୋନ ୧୫ ଏବଂ ରାହୁଲ ପ୍ରସାଦ ଅପରାଜିତ ୧୦ ରନ୍‌ କରିଥିଲେ ।
ସୀମିତ ରନ୍‌ ମଧ୍ୟରେ ଝାଡ଼ଖଣ୍ଡକୁ ଅଟକାଇଥିବା ଓଡ଼ିଶା ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଓପନର ରାଜେଶ ଧୂପର ଓ ସୁଭ୍ରାଂଶୁ ସେନାପତି ଖାତା ଖୋଲିପାରିନଥିବା ବେଳେ ଗୋବିନ୍ଦ ପୋଦ୍ଦାର ୪ ରନ୍‌ କରିଥିଲେ । ଅନୁରାଗ ୯ ଓ ବିପ୍ଳବ ୧୦ ରନ୍‌ କରି ଅପରାଜିତ ଥିଲେ । ଓଡ଼ିଶା ପ୍ରଥମ ଇନିଂସରେ ୧୪୫ ରନ୍‌ ପଛରେ ଥିବା ବେଳେ ହାତରେ ୭ ୱିକେଟ୍‌ ସୁରକ୍ଷିତ ରହିଛି । ବୋଲିଂରେ ଝାଡ଼ଖଣ୍ଡର ବରୁଣ ଆରୋନ୍‌ ସର୍ବାଧିକ ୨ ୱିକେଟ୍‌ ସଫଳତା ପାଇଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here