ଅକ୍ଷଦୀପ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌
ଭୁବନେଶ୍ୱର: କିଟ୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ସି’ର ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଶକ୍ତିଶାଳୀ ଉତ୍ତରପ୍ରଦେଶ ୧୦ ୱିକେଟ୍‌ରେ ଘରୋଇ ଓଡ଼ିଶାକୁ ହରାଇଛି । ଓଡ଼ିଶା ପ୍ରଥମ ପାଳିରେ ୨୫୬ ଓ ଦ୍ୱିତୀୟ ପାଳିରେ ୨୨୧ ରନ୍‌ କରି ଅଲ୍‌ଆଉଟ ହୋଇଥିଲା । ଉତ୍ତରପ୍ରଦେଶ ପ୍ରଥମ ପାଳିରେ ୪୩୭ ଏବଂ ଦ୍ୱିତୀୟ ପାଳିରେ ୪୧ ରନ୍‌ର ବିଜୟଲକ୍ଷ୍ୟକୁ ୧୨.୫ ଓଭରରେ ବିନା କୌଣସି ୱିକେଟ୍‌ ହରାଇ ୪୪ ରନ୍‌ କରି ଜିତି ଯାଇଛି । ପ୍ରଥମ ମ୍ୟାଚରେ ୟୁପି ଇନିଂସ ଓ ୨୪୭ ରନ୍‌ ବ୍ୟବଧାନରେ ଗୋଆକୁ ହରାଇ ୭ ପଏଣ୍ଟ ପାଇଥିଲା । ଦୁଇଟି ମ୍ୟାଚ୍‌ରୁ ୟୁପି ୧୪ ପଏଣ୍ଟ ସହ ଗ୍ରୁପ୍‌ ସି’ର ଶୀର୍ଷରେ ରହିଛି । ଓଡ଼ିଶା ୨ ମ୍ୟାଚରୁ ୧ ପଏଣ୍ଟ ସହ ଟେବୁଲର ଦଶମ ସ୍ଥାନରେ ରହିଛି । ଆଗାମୀ ୨୦ରୁ ଗୌହାଟୀରେ ଘରୋଇ ଆସାମ ଓ ଓଡ଼ିଶା ମଧ୍ୟରେ ରଣଜୀ ଟ୍ରଫି ତୃତୀୟ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ । ସେହିଭଳି ଉତ୍ତରପ୍ରଦେଶ ଓ ସର୍ଭିସେସ ମଧ୍ୟରେ ୨୦ରୁ ଦିଲ୍ଲୀରେ ମ୍ୟାଚ୍‌ ଖେଳାଯିବ । ଅଧିନାୟକ ଅକ୍ଷଦୀପ ନାଥ (୧୫୯ ରନ୍‌)ଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା ।
ଚତୁର୍ଥ ଦିନ ଓଡ଼ିଶା ଅସମାପ୍ତ ଦ୍ୱିତୀୟ ଇନିଂସ ୧୮୦/୭ରୁ ଖେଳ ଆରମ୍ଭ କରିଥିଲା । ଦଳୀୟ ସ୍କୋରରେ ୪୧ ରନ୍‌ ଯୋଡିବା ପରେ ଓଡ଼ିଶା ଅଲ୍‌ଆଉଟ୍‌ ହୋଇଥିଲା । ସାନ୍ତନୁ ମିଶ୍ର ୩୭ ରନ୍‌, ରାଜେଶ ମହାନ୍ତି ୧୦ ଓ ବସନ୍ତ ମହାନ୍ତି ୧୨ ରନ୍‌ କରି ଆଉଟ୍‌ ହୋଇଥିଲେ । ୟୁପି’ର ଅଙ୍କିତ ରାଜପୁତ ୪ଟି, ଶିବମ ମାଭି ୫ଟି ଓ ୟଶ ଦୟାଲ ଗୋଟିଏ ୱିକେଟ୍‌ ସଫଳତା ପାଇଥିଲେ ।
ୟୁପି ସମ୍ମୁଖରେ ୪୧ ରନ୍‌ର ସହଜସାଧ୍ୟ ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଓଡ଼ିଶା । ଏହି ରନ୍‌କୁ ୟୁପି’ର ଦୁଇ ଓପନର ମାଧବ କୌସିକ୍‌ (୨୨) ଓ ମହମ୍ମଦ ସଏଫ୍‌ (୨୬ ରନ୍‌) ୧୨.୫ ଓଭରରେ ହାସଲ କରିନେଇଥିଲେ ।
ଦ୍ୱିତୀୟ ରାଉଣ୍ଡ ଫଳାଫଳ
ଗ୍ରୁପ୍‌ ଏ’: ଭଦୋଦରାରେ ବରୋଦା-ମହାରାଷ୍ଟ୍ର ମ୍ୟାଚ୍‌ ଡ୍ର’ ରହିଛି । ଇନିଂସ ଅଗ୍ରଣୀ ଦୃଷ୍ଟିରୁ ବରୋଦା ୩ ପଏଣ୍ଟ ପାଇଛି । ଭଲସଦରେ ଖେଳାଯାଇଥିବା ମ୍ୟାଚ୍‌ ଡ୍ର’ ରହିଥିବା ବେଳେ ଗୁଜରାଟ ଇନିଂସ ଅଗ୍ରଣୀ ସହ ୩ ପଏଣ୍ଟ ଓ ଛତିଶଗଡ଼ ୧ ପଏଣ୍ଟ ପାଇଛି । ରାଜକୋଟ୍‌ ମ୍ୟାଚ୍‌ରେ ସୌରାଷ୍ଟ୍ର ୩ ୱିକେଟ୍‌ରେ ରେଳବାଇକୁ ହରାଇଛି । ରେଳବାଇ ୨୦୦ ଓ ୩୩୧ ରନ୍‌ କରିଥିଲା । ଜବାବରେ ସୌରାଷ୍ଟ୍ର ୩୪୮ ଓ ୧୮୬/୭ ରନ୍‌ କରି ବିଜୟୀ ହୋଇଛି । ନାଗପୁରରେ କର୍ଣ୍ଣାଟକ-ବିଦର୍ଭ ମ୍ୟାଚ୍‌ ଡ୍ର’ ରହିଛି । ଇନିଂସ ଦୃଷ୍ଟିରୁ କର୍ଣ୍ଣାଟକ ୩ ପଏଣ୍ଟ ଓ ବିଦର୍ଭ ୧ ପଏଣ୍ଟ ପାଇଛି ।
ଗ୍ରୁପ୍‌ ବି’: ତିରୁନେଭେଲି’ରେ ଖେଳାଯାଇଥିବା ହାଇଦ୍ରାବାଦ-ତାମିଲନାଡୁ ମ୍ୟାଚ୍‌ ଡ୍ର’ ରହିଛି । ଇନିଂସ ଅଗ୍ରଣୀ ଦୃଷ୍ଟିରୁ ହାଇଦ୍ରାବାଦ ୩ ପଏଣ୍ଟ ପାଇଛି । ହାଇଦ୍ରାବାଦ ୫୬୫/୮ ରନ୍‌ କରିଥିବା ବେଳେ ତାମିଲନାଡୁ ୪୦୯/୪ ରନ୍‌ କରିଥିଲା । ଥରୁବନନ୍ତପୁରମ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ କେରଳ ୯ ୱିକେଟ୍‌ରେ ଆନ୍ଧ୍ରକୁ ହରାଇଛି । ଆନ୍ଧ୍ର ୨୫୪ ଓ ୧୧୫ ରନ୍‌ କରିଥିଲା । ଜବାବରେ କେରଳ ୩୨୮ ଓ ୪୩/୧ ରନ୍‌ କରି ବିଜୟୀ ହୋଇଛି । ଦିଲ୍ଲୀରେ ହିମାଚଳ ପ୍ରଦେଶ ଓ ଘରୋଇ ଦଳ ମଧ୍ୟରେ ମ୍ୟାଚ୍‌ ଡ୍ର’ ରହିଛି । ଦିଲ୍ଲୀ ପ୍ରଥମ ଇନିଂସ ଅଗ୍ରଣୀ ଦୃଷ୍ଟିରୁ ୩ ପଏଣ୍ଟ ଓ ହିମାଚଳ ୧ ପଏଣ୍ଟ ପାଇଛି । କୋଲକାତାରେ ବେଙ୍ଗଲ-ମଧ୍ୟପ୍ରଦେଶ ମ୍ୟାଚ୍‌ ଡ୍ର’ ରହିଛି । ବେଙ୍ଗଲ ୫୧୦/୯ ରନ୍‌ କରି ପାଳି ଘୋଷଣା କରିଥିବାବେଳେ ମଧ୍ୟପ୍ରଦେଶ ୩୩୫ ଓ ୨୪୦/୩ ରନ୍‌ କରିଥିଲା ।
ଗ୍ରୁପ୍‌ ସି’: ରୋହତକ୍‌ରେ ଝାଡ଼ଖଣ୍ଡ ୯ ୱିକେଟ୍‌ରେ ହରିୟାଣାକୁ ହରାଇଛି । ସେହିଭଳି ପୋରଭରିମ୍‌’ରେ ଗୋଆ-ଜାମ୍ମୁ-କାଶ୍ମୀର ମ୍ୟାଚ ଡ୍ର’ ରହିଛି । ଗୋଆ ୪୬୮/୯ ରନ୍‌ କରି ପାଳି ଘୋଷଣା କରିଥିବା ବେଳେ ଜାମ୍ମୁ-କାଶ୍ମୀର ୨୭୧ ଓ ୨୪୨/୫ ରନ୍‌ କରିଥିଲା । ଜୟପୁରରେ ରାଜସ୍ଥାନ ୫ ୱିକେଟ୍‌ରେ ସର୍ଭିସେସ୍‌କୁ ହରାଇଛି । ସେହିଭଳି ଅଗରତାଲାରେ ଖେଳାଯାଇଥିବା ମ୍ୟାଚ୍‌ରେ ଆସାମ ୨୧୧ ରନ୍‌ ବ୍ୟବଧାନରେ ତ୍ରିପୁରାକୁ ପରାସ୍ତ କରିଛି ।
ପ୍ଲେଟ୍‌ ଗ୍ରୁପ୍‌: ଡେରାଡୁନ୍‌ରେ ଉତ୍ତରାଖଣ୍ଡ ୮ ୱିକେଟ୍‌ରେ ମଣିପୁରକୁ ହରାଇଛି । ମଣିପୁର ୧୩୭ ଓ ୧୮୫ ରନ୍‌ କରିଥିଲା । ଉତ୍ତରାଖଣ୍ଡ ୨୨୮ ଓ ୯୯/୨ ରନ୍‌ କରି ବିଜୟୀ ହୋଇଛି । ପୁଡୁଚେରୀରେ ଖେଳାଯାଇଥିବା ମ୍ୟାଚ୍‌ ପୁଡୁଚେରୀ-ମେଘାଳୟ ମଧ୍ୟରେ ଡ୍ର’ ରହିଛି । ପୁଡୁଚେରୀ ପ୍ରଥମ ଇନିଂସ ଅଗ୍ରଣୀ ଦୃଷ୍ଟିରୁ ୩ ପଏଣ୍ଟ ହାସଲ କରିଛି । ଦିମ୍‌ପୁରରେ ସିକିମ୍‌ ୯ ୱିକେଟ୍‌ରେ ନାଗାଲାଣ୍ଡକୁ ହରାଇଛି । ନାଗାଲାଣ୍ଡ ୧୭୯ ଓ ୨୭୩ ରନ୍‌ କରିଥିଲା । ସିକିମ୍‌ ୩୭୪ ଓ ୮୧/୧ ରନ୍‌ କରି ବିଜୟୀ ହୋଇଛି । ଜୋରହାଟରେ ଅରୁଣାଚଳ ପ୍ରଦେଶ ଓ ମିଜରାମ ମଧ୍ୟରେ ମ୍ୟାଚ୍‌ ଡ୍ର’ ରହିଛି ।

Loading...

LEAVE A REPLY

Please enter your comment!
Please enter your name here