ଭୁବନେଶ୍ୱର: ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ସି’ ସର୍ଭିସେସ୍‌ ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶା ପରାଜୟ ଏଡାଇବାକୁ ସଂଘର୍ଷ ଜାରି ରଖିଛି । ଓଡ଼ିଶା ପ୍ରଥମ ଇନିଂସରେ ୧୭୭ ରନ୍‌ କରିଥିବା ବେଳେ ସର୍ଭିସେସ୍‌ ୪୧୭/୮ ରନ୍‌ କରି ପାଳି ଘୋଷଣା କରିଥିଲା । ତୃତୀୟ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ଓଡ଼ିଶା ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ୨୮ ଓଭରରେ ୬୪/୧ ରନ୍‌ କରିଛି । ଦେବାଶିଷ ସାମନ୍ତରାୟ ୩୪ ଓ ଶୁଭ୍ରାଂଶୁ ସେନାପତି ବିନା ସ୍କୋରରେ ଅପରାଜିତ ଥିଲେ । ଓଡ଼ିଶା ୧୭୬ ରନ୍‌ ପଛରେ ଥିବା ବେଳେ ହାତ ୯ ୱିକେଟ୍‌ ସୁରକ୍ଷିତ ରହିଛି ।
ତୃତୀୟ ଦିବସ ସର୍ଭିସେସ ଅସମାପ୍ତ ପ୍ରଥମ ଇନିଂସ ୧୮୩/୪ରୁ ବ୍ୟାଟିଂ ଆରମ୍ଭ କରିଥିଲା । ପାଲିୱାଲ (୨୨) ଓ ହତୱାଲା (୯) ପାଳି ଆରମ୍ଭ କରିଥିଲେ । ବିକାଶ ମତୱାଲା ଇନିଂସ ଶେଷ ଘୋଷଣା ପର୍ଯ୍ୟନ୍ତ ଅପରାଜିତ ରହି ୧୧୫ ରନ୍‌ କରିଥିଲେ । ଅଧିନାୟକ ପାଲିୱାଲା ୬୨ ରନ୍‌ କରିଥିବା ବେଳେ ଲୋଚାବ ୧୫, ମୁଜାଫରୁଦିନ ଖଲିଦ୍‌ (୩୪) ଓ ବମଲ ୧୬ ରନ୍‌ କରିଥିଲେ । ଫଳରେ ସର୍ଭିସେସ୍‌ ୧୪୧ ଓଭରରେ ୪୧୭/୮ ରନ୍‌ର ବିଶାଳ ସ୍କୋର କରି ପ୍ରଥମ ପାଳି ଘୋଷଣା କରିଥିଲା । ଓଡ଼ିଶାର ଗୋବିନ୍ଦ ପୋଦ୍ଦାର ଓ ଅଭିଶେକ ରାଉତ ଦୁଇଟି ଲେଖାଏଁ ତଥା ରାଜେଶ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଅନୁରାଗ ଷଡଙ୍ଗୀ ଓ ସାନ୍ତନୁ ମିଶ୍ର ଗୋଟିଏ ଲେଖାଏଁ ୱିକେଟ୍‌ ସଫଳତା ପାଇଥିଲେ । ମ୍ୟାଚ୍‌ର ଆଉ ଗୋଟିଏ ଦିନ ଖେଳ ବାକିଥିବାରୁ ସର୍ଭିସେସ୍‌ ସପକ୍ଷରେ ଫଳାଫଳ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଇନିଂସ୍‌ ଅଗ୍ରଣୀ ଦୃଷ୍ଟିରୁ ସର୍ଭିସେସ୍‌ ୩ ପଏଣ୍ଟ ହାସଲ କରିସାରିଛି । ଏଦୃଷ୍ଟିରୁ ସର୍ଭିସେସ୍‌ ପୂର୍ଣ୍ଣସଂଖ୍ୟକ ପଏଣ୍ଟ ପାଇ ଶେଷ ଦିନ ପଡ଼ିଆରେ ସଂଘର୍ଷ କରିବ ।

LEAVE A REPLY

Please enter your comment!
Please enter your name here