ଗୌହାଟୀ: ବିସିସିଆଇର ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିର ତୃତୀୟ ପର୍ଯ୍ୟାୟ ମଙ୍ଗଳବାରଠୁ ଆରମ୍ଭ ହୋଇଛି । ଗୌହାଟୀରେ ଖେଳାଯାଉଥିବା ଆସାମ-ଓଡ଼ିଶା ମ୍ୟାଚ୍‌ର ପ୍ରଥମ ଦିନ ତୀବ୍ର ସଂଘର୍ଷ ଦେଖିବାକୁ ମିଳିଛି । ଓଡ଼ିଶା ବୋଲରଙ୍କ ଶାଣୀତ ବୋଲିଂ ଯୋଗୁଁ ଆସାମ ପ୍ରଥମ ଇନିଂସରେ ୧୨୧ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି । ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ଓଡ଼ିଶା ୨୮ ଓଭରରେ ୩ ୱିକେଟ୍‌ ହରାଇ ୮୬ ରନ୍‌ କରିଛି । ଆସାମଠୁ ୩୫ ରନ୍‌ ପଛରେ ଥିବା ବେଳେ ଓଡ଼ିଶାର ୭ ୱିକେଟ୍‌ ସୁରକ୍ଷିତ ରହିଛି । ବିଗତ ଦୁଇଟି ମ୍ୟାଚ୍‌ରେ ଖରାପ ଖେଳିଥିବା ଓଡ଼ିଶା ପ୍ରଥମଥର ପାଇଁ ଇନିଂସ ଅଗ୍ରଣୀ ଲକ୍ଷ୍ୟରେ ରହିଛି ।
ଟସ୍‌ ଜିତି ଅଧିନାୟକ ବିପ୍ଳବ ଆସାମକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଦ୍ରୁତ ବୋଲର ରାଜେଶ ମହାନ୍ତି ଓ ଦେବବ୍ରତ ପ୍ରଧାନଙ୍କ ଶାଣୀତ ବୋଲିଂର ସାମ୍ନା କରିପାରିନଥିଲେ ଆସାମ ବ୍ୟାଟ୍ସମ୍ୟାନ୍‌ । ରାଜେଶ ୧୮ ଓଭରରେ ୯ ମେଡେନ୍‌ ସହ ୩୧ ରନ୍‌ ଦେଇ ଗୁରୁତ୍ୱପୂର୍ଣ୍ଣ ୫ ୱିକେଟ୍‌ ଅକ୍ତିଆର କରିଥିଲେ । ଫଳରେ ଆସାମ ଅଣ୍ଟାସଳଖିବାକୁ ସକ୍ଷମ ହୋଇନଥିଲା । ରାଜେଶ ଘାତକ ବୋଲିଂ କରି ଓପନର ରିଷଭ ଦାସ (୧୪), ପରଭେଜ ଆଜିଜ୍‌ (୩), ରିଆନ୍‌ ପରାଗ (୨୪), ଅଧିନାୟକ ଅମିତ ସିହ୍ନା (୫) ଓ ମୁଖତାର ହୁସେନ୍‌ (୧)ଙ୍କୁ ଆଉଟ୍‌ କରିଥିଲେ । ସେହିଭଳି ଦେବବ୍ରତ ପ୍ରଧାନ ଦୁଇଟି ତଥା ବସନ୍ତ, ବିପ୍ଳବ ଓ ଧିରଜ ଗୋଟିଏ ଲେଖାଏଁ ୱିକେଟ୍‌ ସଫଳତା ପାଇଥିଲେ ।
୧୨୧ ରନ୍‌ରେ ଆସାମକୁ ଅଲ୍‌ଆଉଟ୍‌ କରିପାରିବା ପରେ ପ୍ରଥମ ଇନିଂସ ଆରମ୍ଭ କରିଥିଲା ଓଡ଼ିଶା । ଘରୋଇ ଦଳର ବ୍ୟାଟିଂ ବିପର୍ଯ୍ୟୟ ଭଳି ଓଡ଼ିଶା ୧୬ ରନ୍‌ ମଧ୍ୟରେ ରାଜେଶ ଧୂପର ଓ ଗୋବିନ୍ଦ ପୋଦ୍ଦାରକୁ ହରାଇଥିଲା । ଏହା ପରେ ପରେ ଶୁଭ୍ରାଂଶୁ ସେନାପତି ୧୦ ରନ୍‌ କରି ଆଉଟ୍‌ ହୋଇଥିଲେ । ଷ୍ଟମ୍ପଅପସାରଣ ବେଳକୁ ଓପନର ଅନୁରାଗ ଷଡଙ୍ଗୀ ୮୭ ବଲ୍‌ରୁ ୬୧ ରନ୍‌ ଓ ଅଧିନାୟକ ବିପ୍ଳବ ସାମନ୍ତରାୟ ୭ ରନ୍‌ କରି ଅପରାଜିତ ଥିଲେ । ଆସାମର ମୁଖତାର ହୁସେନ ସମସ୍ତ ୩ ୱିକେଟ ଅକ୍ତିଆର କରିଛନ୍ତି ।
କିଟ୍‌ରେ ଉତ୍ତରାଖଣ୍ଡର ଜମାଣିଆ ପ୍ରଦର୍ଶନ
ରାୱତ, ଭାଟିଆଙ୍କ ଶତକ
କିଟ୍‌ ଷ୍ଟାଡିୟମ୍‌ରେ ରଣଜୀ ଟ୍ରଫି ପ୍ଲେଟ୍‌ ଗ୍ରୁପ୍‌ର ଏକ ମ୍ୟାଚ୍‌ ଉତ୍ତରାଖଣ୍ଡ ଓ ସିକିମ୍‌ ମଧ୍ୟରେ ଆରମ୍ଭ ହୋଇଛି । ବ୍ୟାଟିଂ ଫ୍ରେଣ୍ଡଲି କିଟ୍‌ ପଡିଆରେ ଉତ୍ତରାଖଣ୍ଡ ପ୍ରଥମ ଦିନ ଜମାଣିଆ ପ୍ରଦର୍ଶନ ଦେଖାଇଛି । ସୌରଭ ରାୱତ (୧୧୫*) ଓ ଅଧିନାୟକ ରଜତ ଭାଟିଆ (୧୨୧)ଙ୍କ ଶତକୀୟ ଇନିଂସ ବଳରେ ଉତ୍ତରାଖଣ୍ଡ ୯୦ ଓଭରରେ ୫ ୱିକେଟ୍‌ ହରାଇ ୨୯୦ ରନ୍‌ କରିଛି । ଈଶ୍ୱର ଚୌଧୁରୀ ସର୍ବାଧିକ ୩ ୱିକେଟ୍‌ ସଫଳତା ପାଇଛନ୍ତି ।
ଟସ୍‌ ଜିତି ସିକିମ୍‌ ଫିଲïିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଉତ୍ତରାଖଣ୍ଡ ପିଚ୍‌ରେ ଆର୍ଦତା କାରଣରୁ ୧୫ ଓଭର ମଧ୍ୟରେ ୪ ୱିକେଟ୍‌ ହରାଇଥିଲା । ପ୍ରଥମ ଅଧିବେଶନରେ ସିକିମ୍‌ର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା । ଏହାପର ଦୁଇଟି ସେସନ୍‌ରେ ଉତ୍ତରାଖଣ୍ଡ ବିପର୍ଯ୍ୟାୟ ସ୍ଥିତିକୁ ସୁଧାରିବାରେ ସକ୍ଷମ ହୋଇଛି । ରାୱତ ୧୧୫ ରନ୍‌ କରି ଅପରାଜିତ ଥିବା ବେଳେ ଅଧିନାୟକ ରଜତ ଭାଟିଆ ୧୨୧ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ । ବୈଭବ ଭଟ୍ଟ ୧୫ ରନ୍‌ କରି ଅପରାଜିତ ଥିଲେ ।
ପ୍ରଥମ ଦିନ ଫଳାଫଳ: ନାଗପୁରରେ ଖେଳାଯାଉଥିବା ବରୋଦା ବିପକ୍ଷ ମ୍ୟାଚ୍‌ରେ ବିଦର୍ଭ ୯୦ ଓଭରରେ ୧ ୱିକେଟ ହରାଇ ୨୬୮ ରନ୍‌ କରିଛି । ଦିଲ୍ଲୀରେ ୟୁପି ବିପକ୍ଷରେ ସର୍ବିସେସ ୯୦ ଓଭରରେ ୮ ୱିକେଟ୍‌ ହରାଇ ୨୫୬ ରନ୍‌, ଜୋରହଟରେ ମିଜୋରାମ ୨୧୯ ଓ ମଣିପୁର ୫୪/୩ ରନ୍‌, ସିଲଙ୍ଗରେ ନାଗାଲାଣ୍ଡ ବିପକ୍ଷରେ ମେଘାଳୟ ୫୦ ଓଭରରେ ୩୩୮/୫ ରନ୍‌ କରିଛି । ଇନ୍ଦୋରରେ ମଧ୍ୟପ୍ରଦେଶ ବିପକ୍ଷରେ ପଞ୍ଜାବ ୭୪ ଓଭରରେ ୨୫୩/୪ ରନ୍‌, ବେଲଗାଓଁରେ ମୁମ୍ବାଇ ବିପକ୍ଷରେ କର୍ଣ୍ଣାଟକ ୮୮ ଓଭରରେ ୨୬୩/୪ ରନ୍‌, ରାଞ୍ଚିରେ ରାଜସ୍ଥାନ ୧୦୦ ଓ ଝାଡ଼ଖଣ୍ଡ ୩୨.୪ ଓଭରରେ ୯୨/୫ ରନ୍‌, ଶ୍ରୀନଗରରେ ତ୍ରିପୁରା ୧୨୪ ଏବଂ ଜମ୍ମୁ-କାଶ୍ମ୍‌ୀର ୪୦ ଓଭରରେ ୧୫୪/୧, ହାଇଦ୍ରାବାଦରେ ଘରୋଇ ଦଳ ଦିଲ୍ଲୀ ବିପକ୍ଷରେ ୯୦ ଓଭରରେ ୧୩୨/୩ ରନ୍‌, ଗୋଆ ବିପକ୍ଷରେ ହରିୟାଣା ୪୪ ଓଭରରେ ୨୬୩/୯ ରନ୍‌, ନାଦିଆଦରେ ସୌରାଷ୍ଟ୍ର ବିପକ୍ଷରେ ଗୁଜରାଟ ୮୭ ଓଭରରେ ୨୬୯/୬, ରାୟପୁରରେ ଆରମ୍ଭ ହୋଇଥିବା ରେଳବାଇ ବିପକ୍ଷ ମ୍ୟାଚ୍‌ରେ ଛତିଶଗଡ଼ ପ୍ରଥମ ଇନିଂସରେ ୨୨୨/୫ ରନ କରିଥିବା ବେଳେ କୋଲକାତାରେ ବେଙ୍ଗଲ ୧୪୭ ଓ କେରଳ ୧୨ ଓଭରରେ ୩୫/୧ ଏବଂ ଅନଗୋଲରେ ତାମିଲନାଡୁ ବିପକ୍ଷରେ ଆନ୍ଧ୍ର ୭୯ ଓଭରରେ ୧୯୮/୮ ରନ୍‌ କରିଛି ।

Loading...

LEAVE A REPLY

Please enter your comment!
Please enter your name here