ବାରିପଦା : ସାଧାରଣ ନିର୍ବାଚନ ପୂର୍ବରୁ ସାରସକଣା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ତଥା ମୟୂରଭଞ୍ଜ ଜିଲ୍ଲା ପରିଷଦର ଜୋନ ନଂ ୩୨(ବିଜାତଳା-୨)ରେ ଡ଼ିସେମ୍ବର ୬ରେ ହେବାକୁ ଥିବା ଉପନିର୍ବାଚନର ମତଦାନ ଉପରେ ସମସ୍ତଙ୍କ ନଜର ରହିଥିଲା । ବହୁ ପ୍ରତିକ୍ଷିତ ଉକ୍ତ ଉପନିର୍ବାଚନର ଫଳାଫଳକୁ ନେଇ ଆରମ୍ଭ ହୋଇଥିବା ଅଙ୍କକଷାର ପରିସମାପ୍ତି ଘଟିଛି । ଶାସକ ବିଜଦ ପ୍ରାର୍ଥୀ ରଘୁନାଥ ମାଝି ତାର ନିକଟତମ ପ୍ରତିଦ୍ୱନ୍ଦି ଭାଜପା ପ୍ରାର୍ଥୀ କୁତୁଲୁ ହାଁସଦାଃଙ୍କୁ ୪,୧୨୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛି । ଆଜିର ଭୋଟ ଗଣତିର ଫଳାଫଳ ଅନୁସାରେ ବିଜେଡ଼ି ପ୍ରାର୍ଥୀ ଶ୍ରୀମାଝି ମୋଟ ୮,୮୭୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ କୁତୁଲୁ ହାଁସଦାଃ ୪,୬୬୩ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ଜେଏମଏମ ପ୍ରାର୍ଥୀ ମୀନା ସୋରେନ ୨,୭୬୮ ଖଣ୍ଡ, କଂଗ୍ରେସ ପ୍ରାର୍ଥୀ ସୁଦର୍ଶନ ମୁର୍ମୁ ୧୬୬ ଖଣ୍ଡ, ଭାଜପାର ପୂର୍ବତନ ସାଂସଦ ସାଲଖାନ ମୁର୍ମୁଙ୍କ ଝାଡ଼ଖଣ୍ଡ ଦିଶମ ପାର୍ଟିର ଶାଙ୍ଖ ମାର୍ଣ୍ଡି ୧୩୪, ଆଜସୁରୁ ଯଦୁନାଥ ଟୁଡ଼ୁ ୩୬ ଖଣ୍ଡ, ମାସାର ଅଇଁଠୁ ଟୁଡ଼ୁ ୧୨୦ ଖଣ୍ଡ, ଆଜସୁର ରାମରାଜନ ସୋରେନ ୨୫ ଖଣ୍ଡ, ସ୍ୱାଧୀନ ପ୍ରାର୍ଥୀ କାହ୍ନୁ ବାସ୍କେ ୨୩ ଖଣ୍ଡ ଓ ସୂର୍ଯ୍ୟ ହେମ୍ବ୍ରମ ୩୭୫ ଖଣ୍ଡ ଭୋଟ ପାଇଛନ୍ତି । ତେବେ ଭାଜପା, ଝାମୁମୋ ପ୍ରାର୍ଥୀଙ୍କୁ ବାଦ ଦେଲେ କଂଗ୍ରେସ ସହିତ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ଅମାନତ ଉଡ଼ିଯାଇଛି । ଏହି ୩୨ନଂ ଜୋନରେ ମୋଟ ୨୩,୧୧୯ ଜଣ ଭୋଟରଙ୍କ ମଧ୍ୟରୁ ୧୭,୭୬୧ ଜଣ ମତଦାତା ସେମାନଙ୍କର ମତଦାନ ସାବ୍ୟସ୍ତ କରାଇଥିଲେ । ଏହା ମଧ୍ୟରୁ ୫୭୬ ଖଣ୍ଡ ଭୋଟ ନାକଟ ହୋଇଯାଇଥିବା ବେଳେ ୧୭,୧୮୫ ଖଣ୍ଡ ଭୋଟ କାଏମ ରହିଥିଲା । ସୂଚନା ଯୋଗ୍ୟ, ଗତ ଜିଲ୍ଲାପରିଷଦ ନିର୍ବାଚନରେ ଏହି ୩୦ନଂ ଜୋନରୁ ବିଜେପି ପ୍ରାର୍ଥୀ ଛୋଟରାୟ ମାର୍ଣ୍ଡି ୬୯୨୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ଏବଂ ତାଙ୍କର ମୃତ୍ୟୁ ପରେ ଏହି ଜୋନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଗତ ନିର୍ବାଚନଠାରୁ ଉପନିର୍ବାଚନରେ ଭାଜପା ଖାତାକୁ ୨୨୫୭ ଖଣ୍ଡ କମ ଭୋଟ ଆସିଛି । ସେହିପରି ଜେଏମଏମ ଗତ ନିର୍ବାଚନରେ ୫୧୭୪ ଖଣ୍ଡ ପାଇଥିବା ସମୟରେ ଉପନିର୍ବାଚନରେ ୨୭୬୮ ଖଣ୍ଡ ଅର୍ଥାତ୍ ୨୪୦୬ ଖଣ୍ଡ କମ ଭୋଟ ପାଇଛି । କଂଗ୍ରେସ ୧୫୫ ଖଣ୍ଡ କମ୍ ଭୋଟ ପାଇଛି । କିନ୍ତି ବିଜଦର ଏହି ବିଜୟକୁ ଗ୍ରହଣ କରିପାରି ନାହାନ୍ତି ବିଜେପି ଓ ଜେଏମଏମ । ମତଦାନ କେନ୍ଦ୍ର ଜବରଦଖଲ ସହିତ ବିଜଦର ବାହୁବଳ, ଶାସନ କଳ ଓ ଅର୍ଥବଳ ବିଜକୁ ବିଜୟ ଦେଇଛି ବୋଲି ସଙ୍ଗୀନ ଅଭିଯୋଗ ଆସିଛି ।

Loading...

LEAVE A REPLY

Please enter your comment!
Please enter your name here