ମେଲବୋର୍ଣ୍ଣ: ମେଲବୋର୍ଣ୍ଣରେ ଘରୋଇ ଅଷ୍ଟ୍ରେଲିଆକୁ ୧୩୭ ରନ୍‌ ବ୍ୟବଧାନରେ ପରାସ୍ତ କରି ଭାରତ ନିଜ ପାଖରେ ବର୍ଡର-ଗାଭାସ୍କର ଟ୍ରଫି ରଖିଛି । ଏହି ବୃହତ୍‌ ବିଜୟ ସହ ଭାରତ ଟେଷ୍ଟ ଶୃଙ୍ଖଳାର ତୃତୀୟ ମ୍ୟାଚ ଶେଷ ସୁଦ୍ଧା ୨-୧ରେ ଅଗ୍ରଣୀ ହାସଲ କରିଛି । ଆଗାମୀ ୩ ତାରିଖରୁ ସିଡ୍‌ନୀରେ ଶୃଙ୍ଖଳାର ଚତୁର୍ଥ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ । ଭାରତ ପ୍ରଥମ ଇନିଂସରେ ୪୪୩/୭ ଓ ଦ୍ୱିତୀୟ ଇନିଂସରେ ୧୦୬/୮ ରନ୍‌ କରି ଅଷ୍ଟ୍ରେଲିଆ ସମ୍ମୁଖରେ ୩୯୯ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଅଷ୍ଟ୍ରେଲିଆ ୧୫୧ ଓ ୨୬୧ ରନ୍‌ କରି ଅଲ୍‌ଆଉଟ୍‌ ହେବାରୁ ଭାରତ ସିରିଜ୍‌ ବଞ୍ଚାଇ ପାରିଛି । ତେବେ ସିଡ୍‌ନୀ ମ୍ୟାଚ୍‌ ଡ୍ର’ ରଖିପାରିଲେ କୋହଲି ସେନା ଅଷ୍ଟ୍ରେଲିଆ ମାଟିରେ ସିରିଜ୍‌ ଜିତିବାର ଗୌରବ ଅର୍ଜନ କରିବ । ଦୁଇଟି ଇନିଂସରୁ ୯ ୱିକେଟ୍‌ ଅକ୍ତିଆର କରିଥିବା ଭାରତୀୟ ସ୍ପିଡ ଷ୍ଟାର ଯଶପ୍ରୀତ ବୁମରାଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି ।
ଚତୁର୍ଥ ଦିନ ଭାରତ ବିଜୟର ନିକଟତର ହୋଇଥିଲା । ହେଲେ ପାର୍ଟ କୁମିନ୍ସ ଏକାକୀ ଭାରତୀୟ ବୋଲରଙ୍କୁ ମୁହଁତୋଡ ଜବାବରେ ଦେଇ ଭାରତର ବିଜୟ ବିଳମ୍ବିତ କରିଥିଲେ । ପଞ୍ଚମ ଦିନ ଅଷ୍ଟ୍ରେଲିଆ ଅସମାପ୍ତ ଦ୍ୱିତୀୟ ଇନିଂସ ୨୫୮/୮ରୁ ଖେଳ ଆରମ୍ଭ କରିଥିଲା । କୁମିନ୍ସ ୬୧ ଓ ଲିଅନ୍‌ ୬ ରନ୍‌ର ଇନିଂସକୁ ଆଗେଇ ନେଇଥିଲେ । ବ୍ୟକ୍ତିଗତ ତଥା ଦଳୀୟ ସ୍କୋର ଆଉ ଦୁଇ ରନ୍‌ ଯୋଡିବାକୁ ସମର୍ଥ ହୋଇଥିଲେ କୁମିନ୍ସ । ବୁମରାଙ୍କ ବଲ୍‌ରେ ପୂଜାରାଙ୍କ ହାତରେ ଧରାପଡିଥିଲେ କୁମିନ୍ସ । ଏହାପରେ ପରେ ଈଶାନ୍ତ ଶର୍ମା, ନାଥନ ଲିଅନ୍‌ଙ୍କୁ ପାଭିଲିୟନ୍‌ ପଠାଇ ଅଷ୍ଟ୍ରେଲିଆ ପାଳିର ଯବନିକା ଟାଣି ଥିଲେ । ଟିମ୍‌ ପାଇନଙ୍କ ନେତୃତ୍ୱାଧିନ ଅଷ୍ଟ୍ରେଲିଆ ମେଲବୋର୍ଣ୍ଣରେ ଧରାଶାୟୀ ହୋଇଛି । ଦ୍ୱିତୀୟ ପାଳିରେ ଦଳ ୮୯.୩ ଓଭରରୁ ୨୬୧ ରନ୍‌ କରିବାକୁ ସମର୍ଥ ହୋଇଥିଲା । ପ୍ରଥମ ଇନିଂସରେ ଜମାଣିଆ ବ୍ୟାଟିଂ ଦେଖାଇଥିବା ଭାରତ ଦ୍ୱିତୀୟ ଇନିଂସରେ ଫେଲ୍‌ ମାରିଥିଲା । ଏହା ସତ୍ତେ୍ୱ ବୋଲରଙ୍କ ଅଗ୍ନିବର୍ଷୀ ବୋଲିଂ ପାଇଁ ଦଳ ବିଜୟ ସହଜ ହୋଇପାରିଛି । ଖାସ୍‌ କରି ବୁମରା ଦୁଇଟି ପାଳିରୁ ୯ ୱିକେଟ୍‌ (୬ ଓ ୩) ନେଇଛନ୍ତି । ଈଶାନ୍ତ ଶର୍ମା ଦୁଇଟି, ଅଲ୍‌ରାଉଣ୍ଡର ରବିନ୍ଦ୍ର ଜାଡେଜା ୩ଟି ଓ ମହମ୍ମଦ ସାମି ଦୁଇ ୱିକେଟ୍‌ ଅକ୍ତିଆର କରିଥିଲେ । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ବୁମରା ୪୮ ୱିକେଟ୍‌ ନେଇ ଆଉ ଏକ କୀର୍ତ୍ତିମାନ ରଚିଛନ୍ତି । ସେ ୯ ମ୍ୟାଚ୍‌ରୁ ୪୮ ୱିକେଟ ନେଇଛନ୍ତି । ଚଳିତବର୍ଷ ଜାନୁଆରୀ ୫ରେ ଦ.ଆଫ୍ରିକା ବିପକ୍ଷ କେପ୍‌ଟାଉନ୍‌ ମ୍ୟାଚ୍‌ ଖେଳି ଅନ୍ତର୍ଜାତୀୟ ଟେଷ୍ଟ ଟେବୁ୍ୟ କରିଥିଲେ । ଏହି ମ୍ୟାଚର ପ୍ରଥମ ଇନିଂସରେ ଭାରତର ଚେତେଶ୍ୱର ପୂଜାରା ୧୦୬, ବିରାଟ କୋହଲି ୮୨, ଡେବୁ୍ୟଟାଣ୍ଟ ମୟଙ୍କ ଅଗ୍ରୱାଲ ୭୬ ଓ ରୋହିତ ଶର୍ମା ଅପରାଜିତ ୬୩ ରନ୍‌ ଇନିଂସ ଖେଳି ଚର୍ଚ୍ଚାରେ ରହିଥିଲେ । ଆଗାମୀ ସିଡ୍‌ନୀ ଟେଷ୍ଟରେ ବିରାଟ ବାହିନୀ ପୁଣି ଜମାଣିଆ ପ୍ରଦର୍ଶନ ସହ ବର୍ଷ ଆରମ୍ଭରୁ ସିରିଜ୍‌ ଜିତିବାକୁ ଲକ୍ଷ୍ୟ ରଖିଛି ।

LEAVE A REPLY

Please enter your comment!
Please enter your name here