ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣକୁ ନେଇ ଲାଗି ରହିଥିବା ଦ୍ୱନ୍ଦର ଅବସାନ ଘଟିଛି । ଚଳିତବର୍ଷ ଏପ୍ରିଲରୁ ମେ’ ମାସରେ ସାରାଦେଶରେ ସାଧାରଣ ନିର୍ବାଚନ ହେବାକୁଥିବାରୁ ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣ ବିଦେଶରେ ଖେଳାଯିବ ବୋଲି ଚର୍ଚ୍ଚା ଜୋର ଧରିଥିଲା । ମଙ୍ଗଳବାର ଏଭଳି ଚର୍ଚ୍ଚାରେ ବିରାମ ଲଗାଇଛି ବିସିସିଆଇ । ମାର୍ଚ୍ଚ ୨୩ରୁ ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣ ଭାରତରେ ହିଁ ଖେଳାଯିବ ବୋଲି ସ୍ପଷ୍ଟ କରାଯାଇଛି । ଖୁବ୍‌ ଶୀଘ୍ର ଆଇପିଏଲ୍‌ ଗଭର୍ଣ୍ଣିଂ କାଉନ୍‌ସିଲ, ବିସିସିଆଇ ଓ ପ୍ରଶାସନିକ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ ହେବ । ଷ୍ଟକ୍‌ହୋଲïରଙ୍କ ସହ ଆଲୋଚନା ହେବା ପରେ ଆଇପିଏଲ୍‌ କ୍ରୀଡାସୂଚୀ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି । ଆବଶ୍ୟକ ସ୍ଥଳେ ମ୍ୟାଚ୍‌ ସ୍ଥାନାନ୍ତର ବ୍ୟବସ୍ଥା ରହିବ । କେନ୍ଦ୍ର ରାଜ୍ୟ ସରକାରଙ୍କ ସୁରକ୍ଷା ବିଭାଗ ସହ ଆଲୋଚନା ହେବ ବୋଲି ପ୍ରଶାସନିକ କମିଟି ଅଧ୍ୟକ୍ଷ ବିନୋଦ ରାୟ ସୂଚନା ଦେଇଛନ୍ତି ।
ପୂର୍ବରୁ ୨ଥର ବିଦେଶରେ ଆଇପିଏଲ୍‌ ସଫଳତା ପୂର୍ବକ ଅନୁଷ୍ଠିତ ହୋଇଛି । ୨୦୦୯ ସାଧାରଣ ନିର୍ବାଚନ ସମୟରେ ଆଇପିଏଲ୍‌ ଦ୍ୱିତୀୟ ସଂସ୍କରଣ ଦ.ଆଫ୍ରିକାରେ ଖେଳାଯାଇଥିଲା । ସେହିଭଳି ୨୦୧୪ରେ ୟୁଏଇରେ ଆଇପିଏଲ୍‌ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ମେ’ ୩୦ରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ ଆୟୋଜନ ହେବ । ଏହାକୁ ଦୃଷ୍ଟିରେ ରଖି ଆଗୁଆ ଆଇପିଏଲ୍‌ ଶେଷ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ଏହି ଆଧାରରେ ମାର୍ଚ୍ଚ ୨୩ରୁ ଆଇପିଏଲ୍‌ ଆରମ୍ଭ ହୋଇ ମେ’ ମଧ୍ୟଭାଗରେ ଶେଷ କରିବାକୁ ଯୋଜନା ହୋଇଛି ।

LEAVE A REPLY

Please enter your comment!
Please enter your name here