ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟରେ ଭାରତର ସ୍ଥିତି ମଜଭୁତ ରହିଛି । ୪୪୩/୭ ରନ୍‌ କରି ପ୍ରଥମ ପାଳି ଘୋଷଣା କରିଥିଲା ଭାରତ । ଜବାବରେ ଅଷ୍ଟ୍ରେଲିଆ ୧୫୧ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା । ୨୯୨ ରନ୍‌ର ଇନିଂସ ଅଗ୍ରଣୀ ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଭାରତ ଘରୋଇ ଦଳ ଭଳି ବ୍ୟାଟିଂ ବିପର୍ଯ୍ୟୟର ଦଶା ଭୋଗିଛି । ତୃତୀୟ ଦିବସ ଷ୍ଟମ୍ପଅପସାରଣ ବେଳକୁ ଭାରତ ୨୭ ଓଭରରେ ୫ ୱିକେଟ୍‌ ହରାଇ ୫୪ ରନ୍‌ କରିଛି । ନବାଗତ ମୟଙ୍କ ଅଗ୍ରୱାଲ ୨୮ ଓ ରିଷଭ ପନ୍ତ ୬ ରନ୍‌ କରି ଅପରାଜିତ ଅଛନ୍ତି । ଦ୍ରୁତ ବୋଲର ଯଶପ୍ରୀତ ବୁମରା କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇ ୬ ୱିକେଟ୍‌ ଅକ୍ତିଆର କରିଥିଲେ । ଭାରତ ୩୪୬ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିବା ବେଳେ ହାତରେ ୫ ୱିକେଟ୍‌ ସୁରକ୍ଷିତ ରହିଛି । ଏଦୃଷ୍ଟିରୁ ମେଲବୋର୍ଣ୍ଣ ମ୍ୟାଚ୍‌ରେ ଦ୍ୱିତୀୟ ଇନିଂସ ବିପର୍ଯ୍ୟୟ ସତ୍ତେ୍ୱ ବିରାଟ ବାହିନୀ ବିଜୟ ଆଡେ ମୁହæôଇଛି ।
ତୃତୀୟ ଦିବସ ୮/୦ରୁ ଅଷ୍ଟ୍ରେଲିଆ ପାଳି ଆରମ୍ଭ କରିଥିଲା । ହେଲେ ପ୍ରଥମ ଅଧ ିବେଶନରେ ବୁମରାଙ୍କ ବଲ୍‌କୁ ସମ୍ମୁଖୀନ ହେବାର ସାହସ ଜୁଟାଇ ପାରିନଥିଲେ କଙ୍ଗାରୁ ବ୍ୟାଟ୍ସମ୍ୟାନ୍‌ । ମେଲବୋର୍ଣ୍ଣରେ ବୁମରା’ଙ୍କ ଜମାଣିଆ ରିଭର୍ସ ସୁଇ ସାଙ୍ଗକୁ ଧିମା ୟର୍କର ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ଙ୍କୁ ବେଶି ସମୟ ପଡ଼ିଆରେ ରହିବାର ସୁଯୋଗ ଦେଇନଥିଲା । କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିବା ବୁମରା ୧୫.୫ ଓଭରରେ ୩୩ ରନ୍‌ ଦେଇ ବହୁମୂଲ୍ୟ ୬ ୱିକେଟ୍‌ ଅକ୍ତିଆର କରିଥିଲେ । ବୁମରା ପର୍ଯ୍ୟାୟକ୍ରମେ ଓପନର ହାରିସ (୨୨), ସନ ମାର୍ସ (୧୯), ଟ୍ରେଭିସ୍‌ ହେଡ (୨୦), ଟିମ୍‌ ପାଇନ୍‌ (୨୨), ନାଥନ ଲିଅନ୍‌ (୦) ଓ ହାଜଲେଉଡ (୦)ଙ୍କୁ ଆଉଟ୍‌ କରି ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ଯବନିକା ଟାଣି ଥିଲେ । ଅଲ୍‌ରାଉଣ୍ଡର ରବିନ୍ଦ୍ର ଜାଡେଜା ୨ଟି, ଇଶାନ୍ତ ଶର୍ମା ଓ ମହମ୍ମଦ ସାମି ଗୋଟିଏ ଲେଖାଏଁ ୱିକେଟ୍‌ ସଫଳତା ପାଇଥିଲେ ।
ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆକୁ ଫଲୋଅନ୍‌ ଦେବାର ବଢ଼ିଆ ସୁଯୋଗ ଥିଲା । କିନ୍ତୁ ଦ୍ୱିତୀୟ ଇନିଂସ ଖେଳିବାର ଭୁଲ ନିଷ୍ପତ୍ତି ମହଙ୍ଗା ସାବ୍ୟସ୍ତ ହୋଇଛି । ଏପରିକି ଦଳୀୟ ସ୍କୋର ୪୪ ରନ୍‌ ବେଳେ ଭାରତ ୫ ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇ ବ୍ୟାକ୍‌ଫୁଟକୁ ଚାଲିଯାଇଛି । ଓପନର ହନୁମା ବିହାରୀ ୧୩ ରନ୍‌ କରି ପାର୍ଟ କୁମିନ୍ସଙ୍କ ପ୍ରଥମ ଶିକାର ହୋଇଥିବା ବେଳେ ଚେତେଶ୍ୱର ପୂଜାରା ଓ ବିରାଟ କୋହଲି ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ । ପ୍ରଥମ ଇନିଂସରେ ଦୁହେଁ ଶତକ ଓ ଅର୍ଦ୍ଧଶତକ ହାସଲ କରି ଦଳୀୟ ସ୍ଥିତିକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ହେଲେ ଦ୍ୱିତୀୟ ଇନିଂସରେ ଉଭୟ କୁମିନ୍ସଙ୍କୁ ମୁକାବିଲା କରିପାରିନାହାନ୍ତି । ଏହା ପରେ ପରେ ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ୧ ରନ୍‌ ଓ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ରୋହିତ ୫ ରନ୍‌ କରି ଆଉଟ୍‌ ହେବାରୁ ଦଳୀୟ ସ୍ଥିତି ଖରାପ ଆଡକୁ ଗତି କରିଛି । ଏହା ସତ୍ତେ୍ୱ ଭାରତ ୩୪୬ ରନ୍‌ର ଅଗ୍ରଣୀ ହାସଲ କରିଥିବାରୁ ମ୍ୟାଚ୍‌ ଉପରେ ବିରାଟ ବାହିନୀର ଦଖଲ ରହିଛି । ଅଷ୍ଟ୍ରେଲିଆର ପାଟ୍‌ କୁମିନ୍ସ ୪ଟି ଓ ଜୋଶ ହାଜଲେଉଡ ଗୋଟିଏ ୱିକେଟ୍‌ ସଫଳତା ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here