ଭୁବନେଶ୍ୱର: ନବାଗତ ଦେବାଶିଷ ସାମନ୍ତରାୟ ଦ୍ୱିତୀୟ ପାଳିରେ ୧୦୨ରନ୍‌ର ଶତକୀୟ ଇନିଂସ୍‌ ଖେଳି ଓଡ଼ିଶାକୁ ନିଶ୍ଚିତ ପରାଜୟରୁ ବଞ୍ଚାଇ ଦେଇଛନ୍ତି । ଫଳରେ ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ ସି’ର ଏକ ମ୍ୟାଚ୍‌ ଓଡ଼ିଶା-ସର୍ଭିସେସ୍‌ ମଧ୍ୟରେ ଡ୍ର’ ରହିଛି । ଇନିଂସ୍‌ ଅଗ୍ରଣୀ ଦୃଷ୍ଟିରୁ ସର୍ଭିସେସ୍‌ ୩ ପଏଣ୍ଟ ଏବଂ ଓଡ଼ିଶା ଏକ ପଏଣ୍ଟ ପାଇଛି । ଓଡ଼ିଶା ପ୍ରଥମ ପାଳିରେ ୧୭୭ରନ୍‌ କରିଥିବା ବେଳେ ସର୍ଭିସେସ୍‌ ୪୧୭/୮ରନ୍‌ କରି ପାଳି ଘୋଷଣା କରିଥିଲା । ଚତୁର୍ଥ ଦିନ ଷ୍ଟମ୍ପସ୍‌ ବେଳକୁ ଓଡ଼ିଶା ଦ୍ୱିତୀୟ ଇନିଂସ୍‌ରେ ୨୫୬/୫ରନ୍‌ କରିଥିଲା । ସର୍ଭିସେସ୍‌ର ବିକାଶ ହାତୱାଲାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା ।
ଚତୁର୍ଥ ଦିନ ଓଡ଼ିଶା ୬୪/୧ରୁ ଅସମାପ୍ତ ଦ୍ୱିତୀୟ ଇନିଂସ୍‌ ବ୍ୟାଟିଂ ଆରମ୍ଭ କରିଥିଲା । ଦେବାଶିଷ ସାମନ୍ତରାୟ ୩୪ରୁ ପାଳି ଆରମ୍ଭ କରିଥିଲେ । ସେ ୨୫୯ ବଲର ସମ୍ମୁଖୀନ ହୋଇ ୧୦୨ରନ୍‌ କରିଥିଲେ । ସୁଭ୍ରାଂଶୁ ୧୨ରନ୍‌, ଗୋବିନ୍ଦ ପୋଦ୍ଦାର ୨୩ରନ୍‌, ଅନୁରାଗ ଷଡଙ୍ଗୀ ଅପରାଜିତ ୪୬ରନ୍‌, ଅଧିନାୟକ ବିପ୍ଳବ ସାମନ୍ତରାୟ ୩ରନ୍‌ ଏବଂ ଅଭିଷେକ ରାଉତ ଅପରାଜିତ ୨୦ରନ୍‌ କରିଥିଲେ । ବୋଲିଂରେ ସଭିସେସ୍‌ର ବମାଲ ୨ଟି, ମୁଜାଫରୁଦ୍ଦିନ୍‌ ଖଲିଦ୍‌ ଓ ରବି ଚୌହ୍ୱାନ ଗୋଟିଏ କରି ସଫଳତା ପାଇଥିଲେ । ୮ ମ୍ୟାଚରୁ ଓଡ଼ିଶାରୁ ୨୦ ପଏଣ୍ଟ ପାଇ ଟେବୁଲର ୫ମ ସ୍ଥାନରେ ରହିଛି । ସର୍ଭିସେସ୍‌ ୧୯ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here