ଭୁବନେଶ୍ୱର : ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ମାମଲାରେ ଉଚ୍ଚତମ ନ୍ୟାୟାଳୟଙ୍କର ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ପାଇଁ ଏକ ଶକ୍ତ ଚାପୁଡା ସଦୃଶ ହୋଇଛି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋଜ ମହାପାତ୍ର ଅଭିଯୋଗ କରିଛନ୍ତି । ଆରମ୍ଭରୁ ପୋଲାଭରମ୍ ପ୍ରକଳ୍ପର ନୀତି ନିୟମ ପ୍ରତି ବେଫିକର ଥିବା ରାଜ୍ୟ ସରକାର ବର୍ତମାନ ନେଡି ଗୁଡ କହୁଣୀକୁ ବୋହିଗଲା ପରେ ରାଜ୍ୟର ସ୍ୱାର୍ଥକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଏବଂ ଯାହାର ପରିଣତି ସ୍ୱରୂପ ଉଚ୍ଚତମ ନ୍ୟାୟାଳୟ ପୋଲାଭରମ୍ ମାମଲାରେ ସ୍ଥଗିତାଦେଶ ଦେବା ପାଇଁ ମନାକରି ଦେଇଛନ୍ତି, ଯାହାପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଖରେ କ୍ଷମାପ୍ରାର୍ଥନା କରିବା ଉଚିତ୍ ।
ଗତକାଲି ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର ଭାବରେ ଦିନ ଧାର୍ଯ୍ୟ ହୋଇଥିଲା ଏବଂ ବିଚାରପତି ମଦନ ବି. ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରି ବୁଡି ଅଂଚଳରେ ସ୍ୱତନ୍ତ୍ର ଭାବରେ ଜନଶୁଣାଣି କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଚାଲିଥିବା କାର୍ଯ୍ୟ ଉପରେ ସ୍ଥଗିତାଦେଶ ଜାରି କରିବାକୁ ମନା କରି ଦେବା ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି । ଆରମ୍ଭରୁ ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଅଂଚଳରେ ଜନଶୁଣାଣି ଠାରୁ ଦୂରରେ ରହିଥିବା ରାଜ୍ୟ ସରକାର ବର୍ତମାନ ନିଜ ପାଇଁ ନିଜେ ଗାତ ଖୋଳି ରାଜ୍ୟବାସୀଙ୍କର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଥିବା ସ୍ପଷ୍ଟ ଜଣାପଡୁଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜର ଦଳୀୟ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଓ ବିରୋଧି ଦଳକୁ ବିଶ୍ୱାସକୁ ନନେଇ, ନେଇଥିବା ନିଷ୍ପତିର ପରିଣାମ ଏହି ବିବାଦକୁ ଚରମ ସୀମାରେ ପହଂଚାଇଛି । ରାଜ୍ୟ ସରକାରଙ୍କ ରାଜନୈତିକ ଅଭିସନ୍ଧି ଯୋଗୁଁ ଜଳସମାଧି ନେବାକୁ ଥିବା ବୁଡି ଅଂଚଳବାସୀଙ୍କ ଭାଗ୍ୟ ଏବଂ ଭବିଷ୍ୟତ ଆଜି ଅନ୍ଧାର ଘେରରେ, ଯାହାକୁ ପ୍ରଦେଶ କଂଗ୍ରେସ ତରଫରୁ ଦୃଢ଼ ବିରୋଧ କରାଯାଇଛି । ବହୁ ପୂର୍ବରୁ ଜନଶୁଣାଣି ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଭାବରେ କେଉଁ ତଥ୍ୟ ଆବଶ୍ୟକ ତାହା ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ମାନ୍ୟବର ସୁପ୍ରିମ୍କୋର୍ଟକୁ ଦେଇପାରି ନଥିବା ସ୍ଥଳେ ଲୋକ ଦେଖାଣିଆ ଭାବରେ ମାମଲା ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛି ପ୍ରଦେଶ କଂଗ୍ରେସ ।

Loading...

LEAVE A REPLY

Please enter your comment!
Please enter your name here