nalco

ସିଡନୀ: ସିଡନୀ ଟେଷ୍ଟର ପ୍ରଥମ ଦିନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା । ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କ ଅପରାଜିତ ୧୩୦ ରନ୍‌ ଓ ଓପନର ମୟଙ୍କ ଅଗ୍ରୱାଲଙ୍କ ୭୭ ରନ୍‌ ସହାୟତାରେ ଦଳ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ୱିକେଟ୍‌ ହରାଇ ୩୦୩ ରନ୍‌ ସଂଗ୍ରହ କରିଛି । ଜୋସ୍‌ ହାଜଲେଉଡ ଦୁଇଟି ଷ୍ଟାର୍କ ଓ ନାଥନ ଲିଅନ ଗୋଟିଏ ଲେଖାଏଁ ୱିକେଟ୍‌ ସଫଳତା ପାଇଛନ୍ତି ।
ଟସ୍‌ ଜିତି ଅଧିନାୟକ ବିରାଟ କୋହଲି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଏଥର ଇନିଂସ୍‌ ଓପନ୍‌ କରିବାକୁ ଏକ ନୂଆ ଯୋଡ଼ି ପଡ଼ିଆକୁ ଓହ୍ଲାଇଥିଲେ । ଲୋକେଶ ରାହୁଲଙ୍କ ସହ ନବାଗତ ମୟଙ୍କ ଅଗ୍ରୱାଲଙ୍କୁ ଦେଖିବାକୁ ମିଳିଥିଲା । ଖେଳ ଆରମ୍ଭ ହେବାର ଦ୍ୱିତୀୟ ଓଭରରେ ହିଁ ଦଳକୁ ପ୍ରଥମ ଝଟକା ଲାଗିଥିଲା । ତୃତୀୟ ଟେଷ୍ଟରେ ଖେଳି ନଥିବା ତଥା ପ୍ରଥମ ଦୁଇଟି ଟେଷ୍ଟରେ ବିଫଳ ହୋଇଥିବା ଲୋକେଶ ରାହୁଲ ୧.୩ ଓଭରରେ ଜୋଶ୍‌ ହାଜଲେଉଡ୍‌ଙ୍କ ବଲରେ ସନ୍‌ ମାର୍ଶଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇ ପାଭିଲିଅନ୍‌ ଫେରିଥିଲେ । ସେ ୬ଟି ବଲରୁ ୯ ରନ୍‌ କରିଥିବା ବେଳେ ଏଥିରେ ୨ଟି ଚୌକା ଥିଲା । ରାହୁଲଙ୍କ ପରେ କ୍ରିଜ୍‌କୁ ଆସିଥିଲେ ଭାରତର ଟେଷ୍ଟ୍‌ ବିଶେଷଜ୍ଞ ଚେତେଶ୍ୱର ପୂଜାରା । ସେ ଓ ମୟଙ୍କ ପାଳିକୁ ସମ୍ଭାଳି ନେଇଥିଲେ । ଦୁହିଁଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ହୋଇଥିଲା । ୩୩.୬ ଓଭରରେ ମୟଙ୍କ ଆଉଟ୍‌ ହୋଇଥିଲେ । ସେତେବେଳକୁ ଦଳୀୟ ସ୍କୋର ୧୨୬ ରନରେ ପହଞ୍ଚିଥିଲା । ଦ୍ୱିତୀୟଥର ପାଇଁ ମୟଙ୍କ ଶତକରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି । ମୟଙ୍କ ପାଭିଲିୟନ ଫେରିବା ପରେ ଅଧିନାୟକ ବିରାଟ କୋହଲି ଆସିଥିଲେ । ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ୮୨ ରନ୍‌ କରିଥିବା କୋହଲି ଆଜି ମଧ୍ୟ ବେଶି ସମୟ ତିଷ୍ଠି ପାରିନଥିଲେ । ସେ ୫୯ଟି ବଲର ସମ୍ମୁଖୀନ ହୋଇ ୨୩ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ । ଏହି ୨୩ ରନ୍‌ ମଧ୍ୟରେ ତାଙ୍କର ୪ଟି ଚୌକା ସାମିଲ ଥିଲା । ଜୋଶ୍‌ ହାଜଲେଉଡ଼୍‌ଙ୍କ ଏକ ବଲରେ ସେ ୱିକେଟ୍‌ କିପର ତଥା ଅଧିନାୟକ ଟିମ୍‌ ପାଇନଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ୫୨.୫ ଓଭରରେ ଦଳର ସ୍କୋର ୧୮୦ ରନ୍‌ ହୋଇଥିବା ବେଳେ ସେ ପାଭିଲିଅନ୍‌ ଫେରିଥିଲେ ।
ତାଙ୍କ ପରେ ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ପଡ଼ିଆକୁ ଆସିଥିଲେ । ହେଲେ ତାଙ୍କ ବ୍ୟାଟରୁ ଆତ୍ମବିଶ୍ୱାସ ଭରା ଇନିଂସ ଦେଖିବାକୁ ମିଳିନଥିଲା । ସେ ୫୫ଟି ବଲରୁ ୧୮ ରନ୍‌ କରି ମିଚେଲ ଷ୍ଟାର୍କଙ୍କ ଶିକାର ହୋଇଥିଲେ ।
ଏହା ପରେ ଚେତେଶ୍ୱର ପୂଜାରା ନବାଗତ ହନୁମା ବିହାରୀଙ୍କୁ ସାଥୀ କରି ପାଳିକୁ ଆଗେଇ ନେଇଥିଲେ । ତୃତୀୟ ଟେଷ୍ଟରେ ଇନିଂସ୍‌ ଓପନ୍‌ କରିଥିବା ହନୁମା ବିହାରୀ ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ । ତାଙ୍କ ସହ ପୂଜାରା ବିନା କୌଣସି ଚାପରେ ଆରାମରେ ଦେଖିଚାହିଁ ପାଳିକୁ ଆଗେଇ ନେଇଥିଲେ । ୧୯୯ ବଲରେ ୧୦୦ ରନ୍‌ ପୂରଣ କରିଥିବା ପୂଜାରା ଷ୍ଟମ୍ପ୍‌ ଅପସାରଣ ବେଳକୁ ୨୫୦ ବଲରେ ୧୬ ଚୌକା ସହାୟତାରେ ୧୩୦ ରନ୍‌ ସଂଗ୍ରହ କରିଥିଲେ । ଅନ୍ୟପକ୍ଷରେ ତାଙ୍କ ସହ ଭଲ ତାଳମେଳ ରଖିଥିଲେ ହନୁମା । ସେ ୫୮ ବଲରୁ ୩୯ ରନ୍‌ କରି ଅପରାଜିତ ଅଛନ୍ତି।
ପୂଜାରା ଓ ହନୁମା ବିହାରୀ ଭାରତର ଅସମାପ୍ତ ପାଳିକୁ ଆଗେଇ ନେବେ ଓ ଅଷ୍ଟ୍ରେଲିଆ ସମ୍ମୁଖରେ ଏକ ବଡ଼ ସ୍କୋର ରଖିବାକୁ ପ୍ରୟାସ କରିବେ । ଏହି ମ୍ୟାଚରେ ଭାରତ ୭ ବ୍ୟାଟ୍ସମ୍ୟାନ୍‌ ଓ ୪ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଛି । ଚାରି ବୋଲରଙ୍କ ମଧ୍ୟରେ ସ୍ପିନର ରବୀନ୍ଦ୍ର ଜାଡେଜା ଓ କୁଲଦୀପ୍‌ ଯାଦବ ଅଛନ୍ତି । ସେହିପରି ମହମ୍ମଦ ସାମି ଓ ଯଶପ୍ରିତ ବୁମରା ପେସ୍‌ ବୋଲିଂ ଦାୟିତ୍ୱ ସମ୍ଭାଳିବେ । ଶତପ୍ରତିଶତ ଫିଟ୍‌ ହୋଇ ନଥିବା ଯୋଗୁ ୧୩ ଜଣିଆ ଟିମରେ ସାମିଲ ହୋଇଥିବା ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଚୂଡ଼ାନ୍ତ ଏକାଦଶରେ ନିଆଯାଇ ନାହିଁ ।
ଚଳିତ ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ଥିବା ବେଳେ ଅଷ୍ଟ୍ରେଲିଆ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । କାରଣ ଅଷ୍ଟ୍ରେଲିଆ ମ୍ୟାଚ୍‌ ନଜିତିଲେ ଭାରତ ସିରିଜ୍‌ କବଜା କରି ନେବ । ଏପରିକି ମ୍ୟାଚ ଡ୍ର’ ରହିଲେ ମଧ୍ୟ ଭାରତ ଐତିହାସିକ ସିରିଜ୍‌ ଜିତିବାକୁ ସମର୍ଥ ହେବ । ଅଷ୍ଟ୍ରେଲିଆ ମାଟିରେ ଭାରତ ଆଦୌ ଟେଷ୍ଟ ସିରିଜ୍‌ ଜିତି ନାହିଁ । ଫଳରେ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ନୂଆ କୀର୍ତ୍ତିମାନ ହାସଲ କରିବାର ଭଲ ମଉକା ରହିଛି ।

ଅଷ୍ଟ୍ରେଲିଆରେ ପ୍ରଥମ ଦିନ ସର୍ବାଧିକ ରନ୍‌ କରିଥିବା ଭାରତୀୟ
୧୯୫-ବୀରେନ୍ଦ୍ର ସେହ୍ୱାଗ, ଏମସିଜି ୨୦୦୩
୧୪୪-ମୁରଲୀ ବିଜୟ, ଗାବା ୨୦୧୪
୧୩୨-ସୁନୀଲ ଗାଭାସ୍କର, ଏସସିଜି ୧୯୮୬
୧୩୦-ଚେତେଶ୍ୱର ପୂଜାରା, ଏସସିଜି ୨୦୧୯
୧୨୪-ତେନ୍ଦୁଲକର, ଆଡିଲେଡ୍‌ ୨୦୦୮
୧୨୩-ଚେତେଶ୍ୱର ପୂଜାରା, ଆଡିଲେଡ୍‌ ୨୦୧୮

-ଚଳିତ ସିରିଜରେ ଚତୁର୍ଥ ଥର ପୂଜାରା ୨୦୦ରୁ ଊଦ୍ଧ୍ୱର୍ ବଲ ଖେଳିଛନ୍ତି । ଅଷ୍ଟ୍ରେଲିଆ ମାଟିରେ ଏଭଳି ସଫଳତା ପାଇବାରେ ପୂଜାରା ପ୍ରଥମ । ଗତ ୧୯୭୭-୭୮ ଗସ୍ତରେ ୩ଥର ଗାଭାସ୍କର ଏଭଳି ଇନିଂସ୍‌ ଖେଳିଥିଲେ ।
-ଅଷ୍ଟ୍ରେଲିଆରେ ସର୍ବାଧିକ ଶତକ(ଗୋଟିଏ ସିରିଜ୍‌) ହାସଲ କରିଥିବା ଭାରତୀୟଙ୍କ ତାଲିକାର ତୃତୀୟ ସ୍ଥାନ ହାସଲ କରିଛନ୍ତି ପୂଜାରା । ସେ ଚାରିଟି ମ୍ୟାଚରୁ ୩ଟି ଶତକ ହାସଲ କରିଛନ୍ତି । ପୂର୍ବରୁ ୨୦୧୪/୧୫ ସିଜନରେ ବିରାଟ କୋହଲି ୪ଟି ଓ ୧୯୭୭/୭୮ରେ ସୁନିଲ ଗାଭାସ୍କର ୩ଟି ଶତକ ହାସଲ କରିଥିଲେ ।
-ଚଳିତ ସିରିଜରେ ପୂଜାରା ବ୍ୟକ୍ତିଗତ ଭାବେ ୪୫୮ରନ୍‌ କରିଛନ୍ତି । ପୂର୍ବରୁ ୨୦୧୨/୧୩ ସିଜନରେ ଇଂଲଣ୍ଡ ବିପକ୍ଷରେ କରିଥିବା ୪୩୮ରନ୍‌ର ନିଜ ରେକର୍ଡକୁ ମଧ୍ୟ ସେ ଟପି ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here