ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳା ଯାଉଥିବା ଶେଷ ଟେଷ୍ଟ ମ୍ୟାଚରେ ଚମକିଛନ୍ତି ୱିକେଟ୍‌ କିପର୍‌ ରିଷଭ ପନ୍ତ । ସେ ଏହି ମ୍ୟାଚରେ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିଛନ୍ତି । ଭାରତର ଇନିଂସ୍‌ ଘୋଷଣା ବେଳକୁ ପନ୍ତ ୧୫୯ ରନ୍‌ କରି ଅପରାଜିତ ଥିଲେ । ସେ ୧୮୯ ବଲରୁ ୧୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ଏହି ରନ୍‌ ସଂଗ୍ରହ କରିଥିଲେ ।
ଏହି ସିରିଜରେ ପନ୍ତ ପ୍ରଥମ ଥର ପାଇଁ ଅର୍ଦ୍ଧଶତକ ମାରିବା ପରେ ଏହାକୁ ଶତକରେ ପରିଣତ କରିବାରେ ସଫଳ ହୋଇଥିଲେ । ଶତକ ସହିତ ରିଷଭ ପନ୍ତ ନିଜ ନାଁରେ ଏକ ବିରଳ ରେକର୍ଡ ଲେଖିଛନ୍ତି । ଅଷ୍ଟ୍ରେଲିଆରେ ଟେଷ୍ଟ ଶତକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ୱିକେଟ୍‌ କିପର୍‌ । ଏହା ପୂର୍ବରୁ ଭାରତୀୟ ୱିକେଟ୍‌ କିପର୍‌ ଫାରୁଖ୍‌ ଇଞ୍ଜିନିୟର ଅଷ୍ଟ୍ରେଲିଆରେ ସର୍ବାଧିକ ୮୯ ରନ୍‌ କରିଥିଲେ । ୧୯୬୭ ମସିହାରେ ଆଡିଲେଡରେ ସେ ଏହି ରନ୍‌ ସଂଗ୍ରହ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ଯେ କୌଣସି ଭାରତୀୟ ୱିକେଟ୍‌ କିପର୍‌ ପାଇଁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ୍‌ ମ୍ୟାଚରେ ସର୍ବାଧିକ ରନ୍‌ ହୋଇ ରହିଥିଲା ।
ପୂର୍ବତନ ୱିକେଟ୍‌ କିପର୍‌ କିରଣ ମୋରେ ମେଲବର୍ଣ୍ଣରେ ୧୯୯୧ରେ ୭୬ ରନ୍‌ କରି ଅପରାଜିତ ରହିଥିଲେ । ୨୦୦୪ରେ ପାର୍ଥିବ ପଟେଲ୍‌ ସିଡନୀରେ ୬୨ ରନ୍‌ କରିଥିଲେ । ସେହିପରି ପୂର୍ବତନ ଅଧିନାୟକ ତଥା ୱିକେଟ୍‌ କିପର୍‌ ମହେନ୍ଦ୍ର ସିଂହ ଧୋନି ୨୦୧୨ରେ ସିଡନୀରେ ୫୭ ରନ୍‌ କରି ଅପରାଜିତ ରହିଥିଲେ ।
ଅଷ୍ଟ୍ରେଲିଆରେ ଶତକ ମାରିବାରେ ପନ୍ତ ହେଉଛନ୍ତି ଦ୍ୱିତୀୟ ସର୍ବ କନିଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ । ସେ ୨୧ ବର୍ଷ ୯୨ ଦିନରେ ଏହି ଶତକ ମାରିଛନ୍ତି । ସଚିନ ତେନ୍ଦୁଲକର ୧୮ ବର୍ଷ ବୟସରେ ଅଷ୍ଟ୍ରେଲିଆରେ ଶତକ ମାରିଥିଲେ । ୧୯୯୨ରେ ସିଡନୀରେ ସେ ୧୮ ବର୍ଷ ୨୫୬ ଦିନରେ ପ୍ରଥମ ଶତକ ମାରିଥିଲେ । ସେହିପରି ୧୮ ବର୍ଷ ୨୫୮ ଦିନରେ ସେ ପର୍ଥରେ ଆଉ ଏକ ଶତକ ମାରିଥିଲେ । ଋଷଭ ତାଙ୍କ ଟେଷ୍ଟ୍‌ କ୍ୟାରିୟରର ଦ୍ୱିତୀୟ ଶତକ ମାରିଛନ୍ତି । ଏହା ପୂର୍ବରୁ ସେ ଗତବର୍ଷ ଇଂଲଣ୍ଡ ଗସ୍ତରେ ଯାଇଥିବା ବେଳେ ପ୍ରଥମ ଟେଷ୍ଟ୍‌ ଶତକ ମାରିଥିଲେ ।

LEAVE A REPLY

Please enter your comment!
Please enter your name here