ନୟାଗଡ, ୦୭ ଜାନୁଆରୀ  – ଆଜି ପୂର୍ବାହ୍ନ ୧୦ଘଟିକା ସମୟରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଇଭିଏମ୍ ଓ ଭିଭିପାର୍ଟର ସଚେତନତା କାର୍ଯ୍ୟକ୍ରମ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସଚିନ୍ ଯାଦବ, ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ଡା. ଏନ. ତିରୁମାଲା ନାୟକଙ୍କ ଦ୍ୱାରା ଉଦଘାଟନ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ୬୦ଜଣ ଅଧିକାରୀ, ୩୦ ଜଣ ପୋଲିସ, ୬୦ଜଣ ଚତୁର୍ଥଶ୍ରେଣୀ କର୍ମଚାରୀ ୨୫ଟି ଗାଡ଼ିରେ ଜିଲ୍ଲାର ସମସ୍ତ ବ୍ଲକକୁ ଯାଇ ପ୍ରତ୍ୟେକ ଗ୍ରାମରେ ଇଭିଏମ ଓ ଭିଭିପାର୍ଟର ଡେମନଷ୍ଟ୍ରେସନ ଦ୍ୱାରା ଜନସାଧାରଣଙ୍କୁ ସଚେତନ କରାଇବେ ।
ଅପରାହ୍ନରେ ୩ଟାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରସନ୍ନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ମିନି କନଫରେନସ ହଲରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଉପ ଜିଲ୍ଲାପାଳ ଶ୍ରୀ ଜିତେନ୍ଦ୍ର କୁମାର ସାହୁ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ସନ୍ତୋଷୀ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତାଙ୍କୁ ନେଇ ଆଲୋଚନା କରାଯାଇଥିଲା । ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ସଚେତନତା କରାଇବା ପାଇଁ ଏବଂ ଯେଉଁମାନଙ୍କର ବୟସ ୧୮ବର୍ଷ ହୋଇଛି ସେମାନେ ନାମ ଦରଜ କରି ଭୋଟର ହେବା ପାଇଁ ଆଲୋଚନା କରାଯାଇଥିଲା । ଅପରାହ୍ନ ୪ଘଟିକା ସମୟରେ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା/ଅଧ୍ୟକ୍ଷ, ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଡକାଯାଇ ନିଜ ନିଜ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ସଚେତନତା କରାଇବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାଶ ପରାମର୍ଶ ଦେଇଥିଲେ । ଆସନ୍ତା ୨୫ତାରିଖ ଭୋଟର ଦିବସ ପାଇଁ ୧୦ ତାରିଖରେ ବିଭିନ୍ନ ପ୍ରତିଯୋଗିତା କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଉପଜିଲ୍ଲାପାଳ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା , ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଉପସ୍ଥିତ ରହି ସିଷ୍ଟମେଟିକ ଭୋଟରସ୍ ଏଜୁକେଶନ ଆଣ୍ଡ ଇଲେକଟ୍ରୋରାଲ ପାଟିସିପେସନ୍ ସଂପର୍କରେ ଆଲୋଚନା କରିବା ସହିତ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଚୁନାବ କ୍ଲବ ଗଠନ କରିବା ପାଇଁ କହିଥିଲେ ।

LEAVE A REPLY

Please enter your comment!
Please enter your name here