ଭୁବନେଶ୍ୱର,୦୭ ଜାନୁଆରୀ – ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ୫୬ ମାସ କ୍ଷମତାରେ ରହିବା ପରେ ବି ତାଙ୍କର ଚରମ ବିଫଳତା ପ୍ରକାଶ ପାଇଛି । ସେଂଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାଯାଇଛି ଯେ, ୨୦୧୮ରେ ଦେଶରେ ୧ କୋଟି ୯ ଲକ୍ଷ ଲୋକ କାମ ହରାଇଛନ୍ତି । ଡିସେମ୍ବର ୨୦୧୭ ମସିହା ପର୍ଯ୍ୟନ୍ତ ଦେଶରେ ୪୦ କୋଟି ୭୯ ଲକ୍ଷ ଲୋକ କାମ କରୁଥିଲେ ବୋଲି ରେକର୍ଡରୁ ପ୍ରକାଶ । ମାତ୍ର ୨୦୧୮ ଡିସେମ୍ବରରେ ଏହି ସଂଖ୍ୟା କମି ୩୯ କୋଟି ୭୦ ଲକ୍ଷରେ ପହଂଚିଛି । ଅର୍ଥାତ୍ ୧ କୋଟି ୯ ଲକ୍ଷ ଲୋକ କାମ ହରାଇଛନ୍ତି ବୋଲି ସିପିଆଇଏମ୍ ଅଭିଯୋଗ କରିଛି ।
କର୍ମଚ୍ୟୁତ ଏହି ଲୋକମାନଙ୍କ ମଧ୍ୟରେ ମହିଳାମାନଙ୍କ ସଂଖ୍ୟା ବହୁତ ବେଶୀ । ୧ କୋଟି ୯ ଲକ୍ଷ କର୍ମଚ୍ୟୁତଙ୍କ ମଧ୍ୟରେ ମହିଳାମାନଙ୍କ ସଂଖ୍ୟା ୮୮ ଲକ୍ଷ । ମହିଳାମାନଙ୍କୁ ସଶକ୍ତିକରଣ କରିବା ଓ ଆତ୍ମ ନିର୍ଭରଶୀଳ କରିବା ପାଣି ଫୋଟକା ପରି ମିଳାଇ ଯାଇଛି । ଭାରତର ବଜାରରେ ପୁଞ୍ଜି ନିବେଶ ଚିତ୍ର ଆହୁରୀ ଦୟନୀୟ । ୨୦୧୮ରେ ଘରୋଇ ବଜାରରୁ ୮୩ ହଜାର କୋଟି ଟଙ୍କା ପୁଞ୍ଜି ପ୍ରତ୍ୟାହାର ହୋଇଛି । ଏହାର ବ୍ୟାପକ ପ୍ରଭାବ ନିଯୁକ୍ତି କ୍ଷେତ୍ରରେ ପଡିବ । ମୋଦି ସରକାରଙ୍କ ଶାସନ କାଳରେ ସରକାରୀ ସମ୍ପତି ସର୍ବାଧିକ ପରିମାଣର ବିକ୍ରୟ ହୋଇଛି । ୧୯୯୧ରୁ ୨୦୧୪ ମଧ୍ୟରେ ୨୩ ବର୍ଷରେ ପ୍ରାୟ ୧ ଲକ୍ଷ ୫୩ ହଜାର କୋଟି ଟଙ୍କାର ଜାତୀୟ ସମ୍ପତି ବିକ୍ରି ହେବା ବେଳେ କେବଳ ନରେନ୍ଦ୍ର ମୋଦିଙ୍କ ଶାସନର ୪ ବର୍ଷ ମଧ୍ୟରେ ପ୍ରାୟ ଦୁଇଲକ୍ଷ ଦଶ ହଜାର କୋଟି ଟଙ୍କାର ସରକାରୀ ସମ୍ପତିକୁ ବିକ୍ରି କରାଯାଇ ବଡ ବଡ ପୁଞ୍ଜିପତିକୁ ହସ୍ତାନ୍ତର କରାଯାଇଛି । ଚଳିତ ଆର୍ଥିକ ବର୍ଷର ମାତ୍ର ୯ ମାସ ସମୟ ମଧ୍ୟରେ ଦେଶର ୭୭ ହଜାର କୋଟି ଟଙ୍କାର ସମ୍ପତି ବିକ୍ରି କରାଯାଇଛି ।
ଏନ୍୍.ଡି.ଏ. ସରକାରର ଏହି ବିଫଳତା ବିରୋଧରେ ଦେଶର ଶ୍ରମିକ ଓ କୃଷକମାନେ ପ୍ରତିବାଦ କରିବାଟା ଆଦୌ ଅସ୍ୱାଭାବିକ ନୁହେଁ । ସମଗ୍ର ଏଇଥି ପାଇଁ ମଧ୍ୟ ୮ ଓ ୯ ଦୁଇଦିନ ଦେଶବ୍ୟାପି ଧର୍ମଘଟ ଓ ହରତାଳ ପାଳନ କରାଯାଉଛି ବୋଲି ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here