ଭୁବନେଶ୍ୱର, ୧୧ ଜାନୁଆରୀ – ଭାରତ କେବଳ ଏକ ଭୌଗଳିକ ଭାବ ନୁହେଁ ; ଏହା ଏକ ଜୀବନ୍ତ ଦେବୀ । ଭାରତ ସମଗ୍ର ମାନବ ଜାତିର ମଙ୍ଗଳ କାମନା କରି ଆସିଛି । ସମଗ୍ର ପୃଥିବୀକୁ ଏକ କୁଟୁମ୍ବ ଭାବରେ ଗ୍ରହଣ କରିବାକୁ ଆହ୍ୱାନ ଦେଇଆସିଛି । ଭାରତୀୟ ଜାତୀୟତାବାଦ ଅନ୍ତର୍ଜାତୀୟତାବାଦର ସମ୍ପ୍ରସାରିତ ରୂପ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।
ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ ଡ଼ିମ୍ଡ଼ ଟୁ ବି ବିଶ୍ୱ ବିଦ୍ୟାଳୟ ପ୍ରେକ୍ଷାଳୟରେ ‘ୱାର୍ଲଡ଼୍ ଅର୍ଗାନାଇଜେସନ ଅଫ୍ ଷ୍ଟୁଡ଼େଂଟ୍ସ୍ ଆଣ୍ଡ ୟୁଥ‘ ପକ୍ଷରୁ ଆୟୋଜିତ ‘ଏକବିଂଶ ଶତାଦ୍ଦୀର ନାରୀ ପ୍ରସଂଗ: ପୃଥିବୀର ରୂପରେଖ ନିର୍ମାଣ’ ସଂପର୍କିତ ଏକ ଅନ୍ତର୍ଜାତୀୟ ଯୁବ ସମ୍ମିଳନୀରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଲେ ଯେ ଭାରତୀୟ ଦର୍ଶନ ଓ ଚିନ୍ତନରେ ପ୍ରତ୍ୟେକ ମଣିଷକୁ ଏକ ଓ ଅଭିନ୍ନ ଭାବରେ ଗ୍ରହଣ କରାଯାଇଛି । ପ୍ରତ୍ୟେକଙ୍କ ମଧ୍ୟରେ ପରମାତ୍ମା ବିରାଜିତ । ତେଣୁ ସମସ୍ତେ ସମାନ ନୁହନ୍ତି, ବରଂ ଏକ ବୋଲି ଗ୍ରହଣ କରିବାକୁ ହେବ ବୋଲି ରାଜ୍ୟପାଳ କହିଛନ୍ତି ।
ବର୍ତମାନର ପୃଥିବୀ ଆଦର୍ଶଗତ ନୁହେଁ, ବଂର ବୈଷୟିକ ଜ୍ଞାନ ଓ ବିଜ୍ଞାନ କାରଣରୁ ବିଭାଜିତ । ବିଜ୍ଞାନର ଅଗ୍ରଗତି ସହ ମଣିଷର ଆତ୍ମିକ ଅଭିବୃଦ୍ଧି ଏକାନ୍ତ ଜରୁରୀ । ବିଜ୍ଞାନ ସହ ଆଧ୍ୟାତ୍ମିକତାର ମିଳନ ହେଲେ ମାନବ ସଭ୍ୟତା ଉତରଣ କରିପାରିବ ବୋଲି ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି । ସଭ୍ୟତାର ଉନ୍ମେଷ ଓ ବିକାଶରେ ନାରୀ ଶକ୍ତିର ପ୍ରମୁଖ ଭୂମିକା ରହିଛି । ସମୟର ଆହ୍ୱାନ ଓ ଆବଶ୍ୟକତା ମୁତାବକ ଆମ ମାଆ ମାନେ ଆମକୁ ଉପଯୁକ୍ତ ସନ୍ତାନସନ୍ତତି ହେଇଛନ୍ତି; ଯେଉଁମାନେ ସଭ୍ୟତାର ଗତିକୁ ଆଗକୁ ନେଇଛନ୍ତି । ନାରୀ ଶକ୍ତି ବିନା ପ୍ରଗତି ଅସମ୍ଭବ ବୋଲି ରାଜ୍ୟପାଳ ମତ ପ୍ରକାଶ କରିଛନ୍ତି ।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜାତୀୟ ସଂଗଠନ ସଚିବ ସୁନୀଲ ଆମ୍ବେକର, ଅନୁଷ୍ଠାନର ଅଧ୍ୟକ୍ଷା ରଶ୍ମି ଦାସ, ମହାସଚିବ ସଂଜୀବ ନିଂଗୋମ୍ବମ୍, ଇସ୍ମାଇଲ ହାସନ, ଶେକର ସାପାରୋଭା, ଗାର୍ଗୀ ବାନାର୍ଜୀ, ସମୀରା ହାଇଦରି, ଆଶ୍ରିୟା ପ୍ରମୁଖ ଉଦ୍ଘାଟନୀ ସମାରୋହରେ ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here