ଭୁବନେଶ୍ୱର, ୦୪ ଜାନୁଆରୀ – ନବୀନବାବୁ କେବଳ ଚିଠି ଲେଖି ଜାଣନ୍ତି, ବିକାଶ ନୁହେଁ । ଓଡିଶାର ଜଳସେଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଦୌ ଦରଦ ନାହିଁ । ଜଳସେଚନ କେବଳ କାଗଜ କଲମରେ ଚାଲିଛି । ନିଜ ଦାୟୀତ୍ୱରୁ ମୁଖ୍ୟମନ୍ତ୍ରୀ ଖସିବା ପାଇଁ ଚିଠି ଲେଖି ବାହାନା କରୁଛନ୍ତି ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି କି, ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ୯ଟି ପ୍ରଶ୍ନ ପଚାରିଥିଲେ । ୯ଟି ପ୍ରଶ୍ନର ଉତର ନରଖି କେବଳ ଜଳସେଚନ ପ୍ରଶ୍ନର ଉତର ଦେବାର ଯଥାର୍ଥ କିଛି ନାହିଁ । ଅନ୍ୟପଟେ ଜଳସେଚନ ଉତର ଦେବାକୁଯାଇ ମୁଖ୍ୟମନ୍ତ୍ରୀ ଭୁଲ ତଥ୍ୟ ଦେଇଛନ୍ତି । ଗତ ୨୦୧୮ ମସିହା ଏପ୍ରିଲ ୪ ତାରିଖରେ ବିଧାନସଭା ଗୃହରେ ବିଧାୟକ କେ.ଭି ସିଂହଦେଓଙ୍କ ପ୍ରଶ୍ନର ଉତରରେ ଜଳସଂପଦ ମନ୍ତ୍ରୀ କହିଥିଲେ କି , ରାଜ୍ୟର ୯ଟି ବୃହତ ଜଳସେଚନ, ୮ଟି ମଧ୍ୟମ ଜଳସେଚନ ପ୍ରକଳ୍ପ, ୧୬୫ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କୌଣସି ଗୋଟିଏ କାର୍ଯ୍ୟକାରୀ ହେଇପାରିଲା ନାହିଁ । ରାଜ୍ୟର ୨୦ ବର୍ଷ ମଧ୍ୟରେ ଜମି ଅଧିଗ୍ରହଣ ଆଳ ଓ ଯୋଜନା ଅଟକଳ ବୃଦ୍ଧି ପାଇଁ କାର୍ଯ୍ୟ ନହେବା ଦର୍ଶାଇବା ରାଜ୍ୟସରକାରଙ୍କ ଅପାରଗତା ନୁହେଁ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଦେଇଥିବା ହିସାବ ଭୂତଳ ସଂଗ୍ରହ କରି ଉଠାଜଳସେଚନ ମାଧ୍ୟମରେ ଜଳ ଯୋଗାଇବା ତଥ୍ୟ ସଂପୂର୍ଣ୍ଣ ଭ୍ରମାତ୍ମକ ଓ ପ୍ରତାରଣା ପୂର୍ଣ୍ଣ । ଜଳସେଚନ ପାଇଁ ଅନେକ ସ୍ଥାନରେ ବିଦ୍ୟୁତ ସଂଯୋଗ କରାଯାଇନାହିଁ । ଯେ କୌଣସି ସ୍ଥାନରେ ବିଦ୍ୟୁତ ସଂଯୋଗ ହୋଇଛି, ସେଠି ଲୋ ଭୋଲଟେଜ ପାଇଁ ମଟର ଚାଲୁନି କି ଜଳ ଉଠିପାରୁନାହିଁ । ଏହାର ଜ୍ୃଳନ୍ତ ଉଦାହରଣ ହେଉଛି ଲୋ ଭୋଲଟେଜ କାରଣରୁ ପାଣି ନଉଠିବା ଯୋଗୁଁ ବରଗଡ ଜିଲା୍ଲର ଖଇନୁ ବର୍ଗତି ଆତ୍ମହତ୍ୟା କରିବା । ୨୦୧୬-୨୦୧୭ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଯାହାକୁ ବିଧାନସଭାରେ ଉପସ୍ଥାପନ କରାଯାଇଥିଲା ସେଥିରେ ସରକାର ନିଜେ ମାନିଛନ୍ତି କି, ମାତ୍ର ରାଜ୍ୟରେ ୨୯.୫ ପ୍ରତିଶତ ଜମି ହେଉଛି ଜଳସେଚିତ ଜମି । ଉଠା ଜଳସେଚନ ମାଧ୍ୟମରେ ରାଜ୍ୟର କେଉଁ ଜିଲ୍ଲାରେ, କେତେ ହେକ୍ଟର ଜମିକୁ ପାଣି ଯୋଗାଯାଇଛି ମୁଖ୍ୟମନ୍ତ୍ରୀ ତାହାର ଉତର ରଖନ୍ତୁ ବୋଲି ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here