ବାଲିଚନ୍ଦ୍ରପୁର : ଗୌତମ ବୁଦ୍ଧଙ୍କୁ ଆମେ ଆମ ସଂସ୍କୃତି ଓ ଭାବନାରେ ଭଗବାନ ଭାବେ ଗ୍ରହଣ କରିଛୁ । ମାନବ ଜାତିର ଏବଂ ସାମଗ୍ରିକଭାବେ ମଣିଷ ଭିତରେ ଥିବା ଦୁଃଖ ବୋଧ ଓ ଅସହାୟତାକୁ ଦୂର କରି ପଥଭ୍ରଷ୍ଟ ମାନବକୁ ମାର୍ଗ ଦର୍ଶନ କରିବାରେ ସେ ନିରନ୍ତର ବ୍ରତୀ ଥିଲେ । ମାନବିକ ଚେତନାର ଉତ୍ତରଣ ପାଇଁ ଏବେବି ବୁଦ୍ଧବାଣୀର ର ପ୍ରାସଙ୍ଗିକତା ଅତି ଗୁରୁତ୍ୱପୁର୍ଣ୍ଣ । ରାଜ୍ୟପାଳ କହିଥିଲେ ଯେ ସମାଜରେ ବସବାସ କରୁଥିବା ସବୁ ବର୍ଗର ଲୋକମାନଙ୍କ ଭିତରେ ଦିବ୍ୟ ଚେତନାର ପରି ପ୍ରକାଶ ଓ ପ୍ରସାର ପାଇଁ ଗୋତମ ବୁଦ୍ଧ ସବୁବେଳେ ତାଙ୍କ ଜୀବନକାଳ ଭିତରେ ସତ୍ମାର୍ଗ ଦେଖାଇଥିଲେ । ଆଜି ଏକବିଂଶ ଶତାବ୍ଦୀରେ ବୌଦ୍ଧ ଧର୍ମ ଦର୍ଶନର ତତ୍ୱ ଓ ସତ୍ୟ ସମଗ୍ର ଜୀବ ଜଗତର କଲ୍ୟାଣ ପାଇଁ ଅଭିପ୍ରେରିତ ଥିଲା ବୋଲି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବୌଦ୍ଧ ପୀଠ ଉଦୟଗିରିଠାରେ ଅନୁଷ୍ଠିତ ହେଉଥିବା ଦୁଇ ଦିନିଆ ନବମ ବୁଦ୍ଧ ମହୋତ୍ସବକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଉଦୟଗିରି ବୌଦ୍ଧ ବିହାର ପରିଦର୍ଶନରେ ଯାଇ ଏହାର ପ୍ରାକୃତିକ ପରିବେଷ ଓ ଖନନ ହୋଇଥିବା ବୌଦ୍ଧ କିର୍ତ୍ତୀରାଜିକୁ ଦେଖି ବିମୋହିତ ହେବା ସହ ବାସ୍ତବରେ ଏହି କିର୍ତ୍ତୀରାଜି ବିଶ୍ୱରେ ଅନ୍ୟନ ବୋଲି ମତ ଦେଇଥିଲେ । ଉତ୍ସବରେ ବରଣ୍ୟ ଅତିଥିଭାବେ ଯୋଗଦେଇ ସରକାରୀ ଦଳର ମୁଖ୍ୟ ସଚେତକ ତଥା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଉଦୟଗିରି କୌଣସି କ୍ଷେତ୍ରରେ ନାଳନ୍ଦା ବିଶ୍ୱବିଦ୍ୟାଳୟଠାରୁ କମ ନୁହେଁ, ଆବିଷ୍କୃତ ବୌଦ୍ଧ କିର୍ତ୍ତୀରାଜିକୁ ସଂରକ୍ଷଣ ପାଇଁ ଏବଂ ଏଠାରେ ଏକ ମ୍ୟୁଜିୟମ୍ ପ୍ରତିଷ୍ଠା ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପଦକ୍ଷେପ ନେବାକୁ ଦୃଷ୍ଟି ଆକର୍ଷଣ କରିଥିଲେ । ଉତ୍ସବରେ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲାପାଳ ମିହିର କୁମାର ମହାନ୍ତି ଏବଂ ଏସ୍.ପି ଚରଣ ସିଂ ମିନା ଯୋଗଦେଇଥିଲେ । ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ଡଃ ଅରୁନ୍ଧତୀ ଦେବୀ ଅଧ୍ୟକ୍ଷତା କରିଥିବାବେଳେ ବୁଦ୍ଧ ମହୋତ୍ସବ ସମିତିର ଆବାହକ ସାମ୍ବାଦିକ ମହେଶ୍ୱର ବଳ ପ୍ରାରମ୍ଭିକ ସୂଚନା ଓ ବିବରଣୀ ପାଠ କରି ଉଦୟଗିରିରୁ ଆବିଷ୍କୃତ ୩୮୫ରୁ ଉଦ୍ଧ୍ୱର୍ କିର୍ତ୍ତୀରାଜି ଏ.ଏସ୍.ଆଇ ଙ୍କ ନିକଟରେ ପଡ଼ିରହିଛି । ଏଗୁଡ଼ିକୁ ଉପଯୁକ୍ତ ସଂରକ୍ଷଣ କରାଯାଇ ଏକ ମ୍ୟୁଜିୟମ୍ ପ୍ରତିଷ୍ଠା ଉପରେ ଗୁରୁତ୍ୱାରୋପ କରିଥିଲେ । ଉତ୍ସବକୁ ସଞ୍ଚାଳନ ଏବଂ ଧନ୍ୟବାଦ ପ୍ରଦାନ କରିଥିଲେ ଜିଲା ସଂସ୍କୃତି ପରିଷଦର ସଦସ୍ୟ ସାମ୍ବାଦିକ ଶୁଭେନ୍ଦୁ ଭୁୟାଁ । ଏହି ଅବସରରେ ପ୍ରତିଷ୍ଠାତା ସଦସ୍ୟ ସମାଜସେବୀ ବିପିନ ବିହାରୀ ଦକ୍ଷିଣରାୟ, ହରିଶ ଚନ୍ଦ୍ର ପ୍ରଧାନ, ଦିବାକର ବିଶ୍ୱାଳଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ କରି ରାଜ୍ୟପାଳ ସମ୍ମାନିତ କରିଥିଲେ । ଏହି ସମୟରେ ନିଜେ ରାଜ୍ୟପାଳ ତିନି ବରିଷ୍ଠ ନାଗରିକଙ୍କୁ ହାତ ଧରି ମଞ୍ଚ ତଳକୁ ନେବାରେ ସହାୟତା ପ୍ରଦାନ କରି ତାଙ୍କ ମାନବୀୟ ଗୁଣର ପରିଚୟ ଦେଇଥିଲେ । ସଭା ସ୍ଥଳରେ ପହଞ୍ôଚବା ପରେ ତାଙ୍କୁ ପୋଲିସ ବାହିନୀ ପକ୍ଷରୁ ଗାର୍ଡ଼ ଅଫ ଅନର ଦିଆଯାଇଥିଲା । ପରେ ପରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଶୋଭନୀୟ ଶିକ୍ଷାଶ୍ରମ ଛାତ୍ର ଛାତ୍ରୀ, ବୀଣା ପାଣି କଳାପୀଠ ଚଣ୍ଡିଖୋଲ ଓ ଭୂବନେଶ୍ୱର ନୂପୁର ଅନୁଷ୍ଠାନ ପକ୍ଷରୁ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହି ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ନଟବର ପରିଡ଼ା, ଭଜହରି ମହାପାତ୍ର, ବୌଦ୍ଧ ଗବେଷକ ହରିଶ ଚନ୍ଦ୍ର ପୃଷ୍ଟି, ଡଃ ଭାଗ୍ୟଧର ସାହୁ, ଲୋକନାଥ ଦାସ, ବିପିନ ବିହାରୀ ଜେନା, ରତିକାନ୍ତ ପ୍ରଧାନ, ଉମାକାନ୍ତ ବଳ, ଶରତ କୁମାର ସାମଲ, ରାମଚନ୍ଦ୍ର ସାମଲ, ପ୍ରଭାକର ଶତପଥୀ, ଶୈଳେନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Loading...

LEAVE A REPLY

Please enter your comment!
Please enter your name here