କେନ୍ଦୁଝର, ୧ ଜାନୁଆରୀ :କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ୍ ଅଂଚଳରେ ଲୋକଙ୍କ ନିଦ ହଜାଇଛନ୍ତି ହାତୀପଲ । ଝୁମ୍ପୁରା ବ୍ଲକ ଅଫିସ୍ ନିକଟ ଆମ୍ବ ବଗିଚାରେ ଆଜି ସକାଳେ ଏକ ହାତୀପଲଙ୍କୁ ଠାବ କରାଯାଇଛି । ଏହି ପଲରେ ଛୋଟ ବଡ ହୋଇ ମୋଟ୍ ୯ ଟି ହାତୀ ରହିଛନ୍ତି । ଗ୍ରାମବାସୀ ଆଜି ସକାଳେ ଏ ସମ୍ପର୍କରେ ଜାଣିବା ପରେ ତୁରନ୍ତ ବନ ବିଭାଗ କାର୍ଯ୍ୟାଳୟକୁ ଜଣାଇଥିଲେ । ଖବର ପାଇ ବିଭାଗୀୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ହାତୀ ଘଉଡ଼ାଇବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ଅନ୍ୟପକ୍ଷରେ ଜନବସତି ଆଡକୁ ହାତୀ ପଶି ଆସିବାର ଭୟ ଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି ।
ଏହି ହାତୀ ପଲ ଉଖୁଣ୍ଡା ଫରେଷ୍ଟ୍ ର ହରିପଶି ଗ୍ରାମ୍ୟ ଜଙ୍ଗଲରୁ ଆସି ରାଇକଳା ହୋଇ ଝୁମ୍ପୁରା ବଜାର ନିକଟରେ ଥିବା ଆମ୍ବ ବଗିଚାରେ ଦୀର୍ଘ ସମୟ ଧରି ଅଟକି ରହିଥିଲେ । ହାତୀ ଦେଖିବା ପାଇଁ ସେଠାରେ ଦେଖଣାହାରୀଙ୍କ ଭିଡ଼ ଜମିଥିଲା । ଲୋକେ ନୂଆବର୍ଷରେ ଭୋଜି ଭାତ ଛାଡି ହାତୀ ଦେଖିବାକୁ ସେଠାରେ ରୁଣ୍ଡ ହୋଇଥିଲେ । ଲୋକଙ୍କ ଭିଡ଼କୁ ନିୟନ୍ତ୍ରଣ ଓ ହାତୀ ପଲ ଉପରେ ନଜର ରଖିବା ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ କାଠିକର ପାଠ ହୋଇଥିଲା । ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ଏଥିରେ ସେମାନଙ୍କୁ ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here