ପୁରୀ, ୪ ଜାନୁଆରୀ : ଏ ବର୍ଷ ପବିତ୍ର ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଛି । ଜାନୁଆରୀ ୭ ତାରିଖରେ ମହାପ୍ରଭୁଙ୍କ ଆଜ୍ଞାମାଳ, ମହାପ୍ରସାଦ ଅନ୍ୟାନ୍ୟ ସାମଗ୍ରୀ ଧରି ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ନୟାଗଡ଼ ଯାତ୍ରା କରିବେ । ନୟାଗଡ଼ ଜଙ୍ଗଲରେ ଥିବା ଗଣିଆ କୋଠିଆ ସାହିସ୍ଥ ମା ବଡ଼ରାଉଳ ପୀଠରେ ପହଂଚି ସେଠାରେ ପୂଜାର୍ଚ୍ଚନା କରିବେ । ପରେ ପରେ ଜଂଗଲକୁ ଯାଇ ବିଧିବଦ୍ଧ ଭାବେ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ପାଇଁ ଆଜ୍ଞାମାଳ ପ୍ରଦାନ କରିବେ । ତା ପରେ ନୟାଗେଡ଼ ବନଖଣ୍ଡ ପକ୍ଷରୁ କାଠ କାଟିବା ପ୍ରକ୍ରିୟା ଆରମ୍ଭ ହେବ । ନୟାଗଡ଼ଠାରେ ୮ ତାରିଖ ଦିନ ପୂଜାର୍ଚ୍ଚନା ହେବ । ୭ ତାରିଖରେ ଶ୍ରୀମନ୍ଦିରରୁ ଆସିଥିବା ଆଜ୍ଞାମାଳ ଧରି ଟିମ୍ ଯିବ । ଏହି ଟିମରେ ମହାରଣା, ଭୋଇ, ଅମିନ, ଶ୍ରୀମନ୍ଦିର କର୍ମଚାରୀ ମାନେ ସାମିଲ ହେବେ ।
ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠ ଆବଶ୍ୟକ । ଏ ବର୍ଷ ୬୭୦ ଖଣ୍ଡ କାଠ ଆବଶ୍ୟକ ବୋଲି ନୟାଗଡ଼ ଡି.ଏଫ.ଓ କୁ ଜଣାଇଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପାଖରେ ଗତବର୍ଷର ୧୯୫ ଖଣ୍ଡ କାଠ ମହଜୁଦ ଅଛି । ଏ ବର୍ଷ ୪୦ ଫୁଟିଆ ଧଉରା କାଠ ୭୦ ଖଣ୍ଡ ଓ ୩୦ ଖଣ୍ଡ ଅସନ କାଠ କଟାଯିବ । ସେହିପରି ୨୦ ଫୁଟିଆ ୭୨ ଖଣ୍ଡ ଧଉରାକାଠ ଓ ୭୫ ଖଣ୍ଡ ଅସନ କାଠ, ୧୨ ଫୁଟିଆ ୧୬୪ ଖଣ୍ଡ ଧଉରାକାଠ ଓ ୧୮୪ ଖଣ୍ଡ ଅସନ କାଠ କଟାଯାଇ ରଥଖଳାକୁ ଅଣାଯିବ । ଏହି କାଠ ଗୁଡ଼ଇକ ପର୍ଯ୍ୟାୟକ୍ରମେ କଟାଯାଇ ରଥଖଳାକୁ ଆସିବ । ୧୪ ଫୁଟ ଲମ୍ବ ଓ ୬ ଫୁଟ ଗୋଲେଇର ୭୨ ଖଣ୍ଡ ଫାସିକାଠ ଓ ସେହି ମାପର ୭ ଖଣ୍ଡ ସିମିଳି କାଠ କଟାଯିବ । । ନୟାଗଡ଼ ବନଖଣ୍ଡରେ କାଠ ନ ମିଳିଲେ ବୌଦ୍ଧ ବନାଂଚଳରୁ ଆସିବ । ରଥକାଠ ଗୋଟିଏ ପଟୁ ଓ ବାର୍କିଂ ପ୍ଲାନ ଅନୁସାରେ କଟାଯାଇ ନଥିବାରୁ ରଥକାଠ ସଂକଟ ଦେଖାଦେବ ବୋଳି ଜଙ୍ଗଲ ବିଶେଷଜ୍ଞ କହିଛନ୍ତି ।
ଏ ବର୍ଷ ୨୦୧୯ରେ ଜାନୁଆରୀରେ ନୟାଗଡ଼କୁ ରଥକାଠ ପାଇଁ ଆଜ୍ଞାମାଳ ବିଜେ, ଫେବ୍ରୃାରୀ ୧୦ ଶ୍ରୀପଂଚମୀରେ କଟାଯାଇଥିବା ରଥକାଠ ରଥଖଳାରେ ଭୂମିଷ୍ଟ ହେବ । ମେ ୭ ମଙ୍ଗଳବାରରେ ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ କାମ ଆରମ୍ଭ ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ୩ଟି ରଥକାଠକୁ ସୁନା ଓ ରୂପା କୁରାଢ଼ିରେ ଅନୁକୂଳ ହେବ । ମେ ୧୭ ତାରିଖ ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ହେବ । ଜୁନ୍ ୧୭ରେ ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତି ୧୦୮ ଗରା ଜଳରେ ସ୍ନାନ କରି ଜ୍ୱରରେ ପଡ଼ିବେ । ୧୫ ଦିନ ଅଣସର ଘରେ ରହିବେ । ଜୁଲାଇ ୨ରେ ନବ ଯୌବନ ଦର୍ଶନ, ୩ରେ ଉଭାଯାତ୍ରା, ୪ରେ ପବିତ୍ର ଗୁଣ୍ଡିଚା ଯାତ୍ରାଅନୁଷ୍ଠିତ ହେବ । ଜୁଲାଇ ୮ରେ ହେରାପଂଚମୀ, ୧୦ରେ ନବମୀ ସନ୍ଧ୍ୟା ଦର୍ଶନ, ୧୨ରେ ବାହୁଡ଼ା ଯାତ୍ରା, ୧୩ରେ ସୁନାବେଶ, ୧୪ରେ ଅଧରପଣା, ୧୫ରେ ନୀଳାଦ୍ରି ବିଜେ ଓ ୧୬ରେ ନୀଳାଂଚଳ ଅବଢ଼ା ମିଳିବ ବୋଲି ପ୍ରାରମ୍ଭିକ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here