ଭୁବନେଶ୍ୱର : କେନ୍ଦ୍ର ସରକାର ଏବେ ଗ୍ୟାସ ଭିତିକ ଅର୍ଥବ୍ୟବସ୍ଥା ଉପରେ ପ୍ରାଧାନ୍ୟ ଦେଉଛନ୍ତି । ଏଥିଲାଗି ଗ୍ୟାସ ପାଇପ ଲାଇନ ନେଟୱାର୍କର ବିସ୍ତାର ପାଇଁ ବ୍ୟାପକ ଯୋଜନା ହୋଇଛି ଏବଂ ଦେଶର ବିଭିନ୍ନ ସ୍ଥାନକୁ ଗ୍ୟାସ୍ ଯୋଗାଣ ନିମନ୍ତେ ପାଇପଲାଇନ ବିଛାଇବା ଲାଗି ପ୍ରଥମ ପର୍ଯ୍ୟାୟରେ ୭୦,୦୦୦ କୋଟି ଟଙ୍କା ବିନିଯୋଗ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ବୁଧବାର ଭୁବନେଶ୍ୱରଠାରେ ଉନବିଂଶ ଜାତୀୟ ଅବକ୍ଷୟ ନିୟନ୍ତ୍ରଣ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ସେ କହିଛନ୍ତି ଯେ କେବଳ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୧୭୦୦ କିଲୋମିଟର ଗ୍ୟାସ୍ ଲାଇନ ବିଛାଯିବ ଏବଂ ଏଥିପାଇଁ ୪୫୦୦ କୋଟି ଟଙ୍କା ବିନିଯୋଗ ହେବ । ପୂର୍ବ ଭାରତକୁ ବିକାଶ କ୍ଷେତ୍ରରେ ପଶ୍ଚିମ ଭାରତ ସହ ସମକକ୍ଷ କରାଇବାକୁ ପଡ଼ିବ । ଏଥିଲାଗି ଓଡ଼ିଶା ସମେତ ପୂର୍ବଭାରତ ରାଜ୍ୟମାନଙ୍କ ଅଭିବୃଦ୍ଧି ହାର ଦୁଇଅଙ୍କ ବିଶିଷ୍ଟ କରିବାକୁ ହେବ । ପାରାଦୀପ, ଧାମରା ଓ ଗୋପାଳପୁରରେ ବନ୍ଦରଭିତିକ ଶିଳ୍ପ ଓ କଳକାରଖାନା ଗଢି ତୋଳିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଇ ଆବଶ୍ୟକ ଭିତିଭୂମି ନିମନ୍ତେ ଅଗ୍ରାଧିକାର ଦେଇଛନ୍ତି ।ଧାମରାରୁ ବାଂଲାଦେଶ ଏବଂ ସିଲିଗୁଡ଼ିରୁ ବାଂଲାଦେଶକୁ ଗ୍ୟାସ୍ ପାଇପଲାଇନ ନେଟୱାର୍କ ଯୋଗେ ଯୋଡ଼ିବାର ଯୋଜନା ହୋଇଛି । ସେହିପରି ବାଂଲାଦେଶ ଦେଇ ମିଆଁମାରକୁ ମଧ୍ୟ ଗ୍ୟାସ ପାଇପଲାଇନ୍ ନେଟୱାର୍କର ବିସ୍ତାର ପାଇଁ ଯୋଜନା ରହିଛି । ଏସବୁ ପରିପ୍ରେକ୍ଷୀରେ ପାରାଦୀପ ବନ୍ଦରର ଗ୍ୟାସ ପରିବହନ ପରିଚାଳନା କ୍ଷମତା କ୍ରମେ ବୃଦ୍ଧି କରାଯିବ । ବର୍ତମାନ ତିନୋଟି ସିଂଙ୍ଗଲ ପଏଂଟ ମୁରିଂ ବ୍ୟବସ୍ଥା ଯୋଗେ ୩୭ ଏମ୍ଏମ୍ଟିପିଏ କ୍ଷମତାର ଅଶୋଧିତ ତୈଳ ପାରାଦୀପ, ହଳଦିଆ, ବରାଉଣି ଓ ବଂଗାଇ ଗାଓଁ ବିଶୋଧନାଗାରକୁ ପଠାଯାଉଛି ।

Loading...

LEAVE A REPLY

Please enter your comment!
Please enter your name here