ଭୁବନେଶ୍ୱର : ବିସିସିଆଇର ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିର ତୃତୀୟ ପର୍ଯ୍ୟାୟ ମଙ୍ଗଳବାରଠୁ ଦେଶର ଭିନ୍ନ ଭିନ୍ନ ଷ୍ଟାଡିୟମ୍‌ରେ ଆରମ୍ଭ ହେବାକୁ ଯାଉଛି । ଏଲିଟ୍‌ ଗ୍ରୁପ୍‌-ସି’ରେ ସ୍ଥାନ ପାଇଥିବା ଓଡ଼ିଶା ତା’ର ତୃତୀୟ ମ୍ୟାଚ୍‌ରେ ଘରୋଇ ଆସାମକୁ ଗୌହାଟୀର ନେହରୁ ଷ୍ଟାଡିୟମ୍‌ରେ ଭେଟିବ । ଘରୋଇ କିଟ୍‌ ଷ୍ଟାଡିୟମ୍‌ରେ ଓଡ଼ିଶା ଚଳିତ ରଣଜୀ ସିଜିନ୍‌ରେ ଅତ୍ୟନ୍ତ ନୈରାଶ୍ୟଜନିତ ପ୍ରଦର୍ଶନ ଦେଖାଇଛି । ପ୍ରଥମ ମ୍ୟାଚ୍‌ରେ ହରିୟାଣା ସହ ମ୍ୟାଚ୍‌ ଡ୍ର’ ରଖି ୧ ପଏଣ୍ଟ ପାଇଥିଲା । ସେହିଭଳି ଉତ୍ତରପ୍ରଦେଶ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ଶୋଚନୀୟ ପରାଜୟ ବରଣ କରିଥିଲା ଓଡ଼ିଶା । ଏହି ମ୍ୟାଚ୍‌ରେ ୟୁପି ୧୦ ୱିକେଟ୍‌ରେ ବିଜୟୀ ହୋଇ ବୋନସ୍‌ ପଏଣ୍ଟ ପାଇଥିଲା । ଦୁଇ ମ୍ୟାଚ୍‌ରୁ ୧୪ ପଏଣ୍ଟ ପାଇ ୟୁପି ଶୀର୍ଷରେ ଥିବା ବେଳେ ଓଡ଼ିଶା ୧ ପଏଣ୍ଟ ସହ ଟେବୁଲ୍‌ର ସର୍ବନିମ୍ନରେ ରହିଛି । ଏ ଦୃଷ୍ଟିରୁ ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କ ନେତୃତ୍ୱାଧିନ ଓଡ଼ିଶା ଆସାମ ବିପକ୍ଷରେ ପୂର୍ଣ୍ଣ ସଂଖ୍ୟକ ପଏଣ୍ଟ ପାଇବାକୁ ପ୍ରୟାସ କରିବ ।
୨୦୦୨ରୁ ୨୦୧୬ ମଧ୍ୟରେ ଓଡ଼ିଶା ଓ ଆସାମ ପରସ୍ପରକୁ ୪ଥର ଭେଟିଛନ୍ତି । ଦୁଇଥର ମ୍ୟାଚ୍‌ ଡ୍ର’ ରହିଥିବା ବେଳେ ଓଡ଼ିଶା ଦୁଇଥର ବିଜୟୀ ହୋଇଛି । ୨୦୦୨ରେ ଗୌହାଟୀରେ ଖେଳାଯାଇଥିବା ମ୍ୟାଚ୍‌ ଡ୍ର’ ରହିଥିଲା । ସେହିଭଳି ୨୦୦୭ରେ କଟକରେ ଖେଳାଯାଇଥିବା ଓଡ଼ିଶା ୭ ୱିକେଟ୍‌ରେ ଆସାମକୁ ହରାଇଥିଲେ । ୨୦୧୫ରେ କଟକରେ ଖେଳାଯାଇଥିବା ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ ସତ୍ତେ୍ୱ ୮ ୱିକେଟ୍‌ରେ ବିଜୟୀ ହୋଇଥିଲା । ଏହି ମ୍ୟାଚ୍‌ରେ ଗୋବିନ୍ଦ ପୋଦାର ୭୭ ରନ୍‌ର ଅପରାଜିତ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ । ଶେଷ ଥର ପାଇଁ ୨୦୧୬ରେ ହାଇଦ୍ରାବାଦ୍‌ରେ ଆସାମ-ଓଡ଼ିଶା ପରସ୍ପରକୁ ଭେଟିଥିଲେ । ଏହି ମ୍ୟାଚ୍‌ ଡ୍ର’ ରହିଥିଲା ବେଳେ ଇନିଂସ୍‌ ଅଗ୍ରଣୀ ଦୃଷ୍ଟିରୁ ଓଡ଼ିଶା ୩ ପଏଣ୍ଟ ପାଇଥିଲା । ଅଧିନାୟକ ଗୋବିନ୍ଦ ପୋଦାର ୨୨୫ ରନ୍‌ର ଇନିଂସ୍‌ ଖେଳି ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ହୋଇଥିଲେ । ଅନ୍ୟତମ ଅଲ୍‌ରାଉଣ୍ଡର ବିପ୍ଳବ ସାମନ୍ତରାୟ ମଧ୍ୟ ୧୦୩ ରନ୍‌ର ଶତକୀୟ ଇନିଂସ୍‌ ଖେଳି ଦଳକୁ ଇନିଂସ୍‌ ଅଗ୍ରଣୀ କରିଥିଲେ । ଆସାମର କୁନାଲ୍‌ ସାଇକିଆ ୧୩୫ ରନ୍‌ କରିଥିଲେ ।
ଉତ୍ତରପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ଦ୍ରୁତ ବୋଲର୍‌ ବସନ୍ତ ମହାନ୍ତି ଚଳିତ ରଣଜୀ ସିଜିନ୍‌ ଆରମ୍ଭ କରିଛନ୍ତି । ଏହି ମ୍ୟାଚ୍‌ରେ ବସନ୍ତ ପ୍ରଥମ ପାଳିରେ ୬ୱିକେଟ୍‌ ନେଇ ୟୁପି ପାଇଁ ଅଡ଼ୁଆ ସୃଷ୍ଟି କରିଥିଲେ । ଏଦୃଷ୍ଟିରୁ ନେହରୁ ଷ୍ଟାଡିୟମ୍‌ରେ ଘରୋଇ ଆସାମ ପାଇଁ ଓଡ଼ିଆ ଦ୍ରୁତ ବୋଲର୍‌ ବସନ୍ତ ଅଡ଼ୁଆ ସୃଷ୍ଟି କରିବେ । ଓଡ଼ିଶାକୁ ନକ୍‌ଆଉଟ୍‌ରେ ପ୍ରବେଶ କରିବା ପାଇଁ ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକରେ ଆତ୍ମ ବିଶ୍ୱାସ ଭରା ପ୍ରଦର୍ଶନ ଦେଖାଇବାକୁ ପଡ଼ିବ । ହରିୟାଣା ବିପକ୍ଷ ମ୍ୟାଚ୍‌ରେ ଶତକୀୟ ଇନିଂସ୍‌ ଖେଳିଥିବା ଅନୁରାଗ ଷଡ଼ଙ୍ଗୀ ୟୁପି ସହ ଫେଲ୍‌ ମାରିଥିଲେ । ସେହିଭଳି ସନ୍ଦୀପ ପଟ୍ଟନାୟକ, ଗୋବିନ୍ଦ ପୋଦାର ଓ ଅଧିନାୟକ ବିପ୍ଳବ ଭଲ ଖେଳିପାରି ନାହାନ୍ତି । ଶୁଭ୍ରଂଶୁ ସେନାପତି ଓ ସୁଜିତ୍‌ ଲେଙ୍କା ଉପଯୋଗୀ ଇନିଂସ୍‌ ଖେଳିଥିଲେ । ଏଦୃଷ୍ଟିରୁ ବୋଲିଂ ତୁଳନାରେ ଓଡ଼ିଶା ବ୍ୟାଟିଂ ବିଭାଗ ଉପରେ ଅଧିକ ଫୋକସ୍‌ କରିବ ।
ଆସାମ ଖେଳିଥିବା ଦୁଇଟି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ ଦେଖାଇଛି । ଅଗରତାଲାରେ ଆସାମ ୨୧୧ ରନ୍‌ ବ୍ୟବଧାନରେ ତ୍ରିପୁରାକୁ ହରାଇ ଥିଲା । ସେହିଭଳି ରାଞ୍ଚିରେ ଅନୁଷ୍ଠିତ ଝାଡ଼ଖଣ୍ଡ ବିପକ୍ଷ ମ୍ୟାଚ୍‌କୁ ଡ୍ର’ ରଖିଥିଲା ଆସାମ । ଏହି ମ୍ୟାଚ୍‌ରେ ଗୋକୁଳ ଶର୍ମା ସର୍ବାଧିକ ୯୨ ରନ୍‌ କରିଥିଲେ । ଘରୋଇ ପଡ଼ିଆରେ ଆସାମ ତା’ର ପ୍ରଥମ ହୋମ୍‌ ମ୍ୟାଚ୍‌ ଖେଳିବାକୁ ଯାଉଛି । ରେକର୍ଡ଼ ଦୃଷ୍ଟିରୁ ଓଡ଼ିଶା ସୁଦୃଢ଼ ମନେ ହେଉଥିଲେ ବି ଚଳିତ ସିଜନ୍‌ର ପ୍ରଦର୍ଶନ ଆଧାରରେ ଆସାମର ପଲ୍ଲା ଭାରି ରହିବ । ଅଧିନାୟକ ଅମିତ୍‌ ସିହ୍ନା ଓଡ଼ିଶାକୁ ନେହରୁ ଷ୍ଟାଡିୟମ୍‌ରେ ହରାଇବା ପାଇଁ ସ୍ୱତନ୍ତ୍ର ଯୋଜନା ସହ ପଢ଼ିବାକୁ ଓହ୍ଲାଇବେ । ଏହି ମ୍ୟଚ୍‌ ସକାଳ ୯.୩୦ରେ ଆରମ୍ଭ ହେବ ।
କାହାକୁ କିଏ ଭେଟିବ
କୋଲକାତାରେ ବେଙ୍ଗଲ-କେରଳ, ଜୋରହାଟ ଷ୍ଟାଡିୟମରେ ମିଜୋରାମ-ମଣିପୁର, ଭୁବନେଶ୍ୱରରେ ସିକିମ୍‌-ଉତ୍ତରାଖଣ୍ଡ, ରାୟପୁରରେ ଛତିଶଗଡ଼-ରେଳବାଇ, ନାଦିଆଦ ଷ୍ଟାଡିୟମ୍‌ରେ ଗୁଜରାଟ-ସୌରାଷ୍ଟ୍ର, ବେଲଗାଁଓରେ କର୍ଣ୍ଣାଟକ-ମୁମ୍ବାଇ, ନାଗପୁରରେ ବିଦର୍ଭ-ବରୋଦା, ଅନଗୋଲ୍‌ ଷ୍ଟାଡିୟମରେ ଆନ୍ଧ୍ର-ତାମିଲନାଡ଼ୁ, ହାଇଦ୍ରାବାଦରେ ଘରୋଇ ଦଳ ଓ ଦିଲ୍ଲୀ, ଇନ୍ଦୋର୍‌ରେ ମଧ୍ୟପ୍ରଦେଶ-ପଞ୍ଜାବ, ରୋହତକ ଷ୍ଟାଡିୟମ୍‌ରେ ହରିୟାଣା-ଗୋଆ, ଶ୍ରୀନଗରରେ ଜମ୍ମୁ-କାଶ୍ମୀର ଓ ତ୍ରିପୁରା, ରାଞ୍ଚିରେ ଝାଡ଼ଖଣ୍ଡ-ରାଜସ୍ଥାନ, ଦିଲ୍ଲୀରେ ସର୍ଭିସେସ୍‌-ୟୁପି, ସିଲଙ୍ଗରେ ମେଘାଳୟ-ନାଗାଲାଣ୍ଡ, ପୁଡୁଚେରୀରେ ଘରୋଇ ପୁଡୁଚେରୀ ଓ ବିହାର ମଧ୍ୟରେ ମ୍ୟାଚ୍‌ ଖେଳାଯିବ ।

Loading...

LEAVE A REPLY

Please enter your comment!
Please enter your name here