ନୂଆଦିଲ୍ଲୀ : ବିଶ୍ୱକପ୍‌ ହିରୋ ତଥା ଟିମ୍‌ ଇଣ୍ଡିଆ ତାରକା ଓପନର ଗୌତମ ଗମ୍ଭୀର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ମଙ୍ଗଳବାର ସନ୍ନ୍ୟାସ ନେବା ସମ୍ପର୍କରେ ୩୭ ବର୍ଷୀୟ ଗମ୍ଭୀର ପ୍ରଥମେ ସୋସିଆଲ ମିଡ଼ିଆ ଓ ପରେ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ।
୨୦୦୩ରେ ବାଂଲାଦେଶ ବିପକ୍ଷ ଦିନିକିଆ ମ୍ୟାଚ୍‌ ଖେଳି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ଗମ୍ଭୀର । ସେହିଭଳି ୨୦୦୪ରେ ମୁମ୍ବାଇରେ ଅଷ୍ଟ୍ରେଲିଆ ସହ ମ୍ୟାଚ୍‌ ଖେଳି ଟେଷ୍ଟ ଏବଂ ୨୦୦୭ରେ ଟି-୨୦ କ୍ୟାରିୟର ଆରମ୍ଭ କରିଥିଲେ । ଅବସର ନେବା ପାଇଁ ଅନେକବାର ଭାବିଛି । ଶେଷରେ ଏଭଳି କଠୋର ନିଷ୍ପତ୍ତି ନେବାକୁ ପଡ଼ିଲା ବୋଲି ଟ୍ୱିଟର ଓ ଫେସ୍‌ବୁକ୍‌ ପୃଷ୍ଠାରେ ଏକ ଭିଡ଼ିଓ ପୋଷ୍ଟ କରି ଗମ୍ଭୀର କହିଛନ୍ତି । ଆଗାମୀ ୬ ତାରିଖରୁ ରଣଜୀ ଟ୍ରଫି ପଞ୍ଚମ ପର୍ଯ୍ୟାୟ ଆରମ୍ଭ ହେବାକୁଯାଉଛି । ଦିଲ୍ଲୀ ଓ ଆନ୍ଧ୍ର ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ । ଏହା ଗମ୍ଭୀରଙ୍କ ପାଇଁ ବିଦାୟୀକାଳୀନ ମ୍ୟାଚ୍‌ ହେବ । କ୍ରିକେଟ୍‌ କ୍ୟାରିୟରର ଶେଷ ଘୋଷଣା କରିଥିବାରୁ ଆଗାମୀ ସେସନ୍‌ରେ ଗମ୍ଭୀରଙ୍କୁ ଦେଖିବାକୁ ମିଳିବ ନାହିଁ । ୧୫ ବର୍ଷ ଧରି ଦେଶ ପାଇଁ କ୍ରିକେଟ୍‌ ଖେଳିବାର ସୌଭାଗ୍ୟ ଅର୍ଜନ କରିଥିଲେ ଗୌତି । ତାଙ୍କର ଏହି କ୍ରିକେଟ୍‌ କ୍ୟାରିୟରରେ ଦୁଇଟି ବଡ଼ ସଫଳତା ସବୁ ପାଇଁ ତାଙ୍କୁ ଭାରତୀୟ କ୍ରିକେଟ୍‌ରେ ସ୍ମରଣୀୟ କରି ରଖିବ । ୨୦୦୭ ଟି-୨୦ ବିଶ୍ୱକପ ଓ ୨୦୧୧ ଆଇସିସି ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ଗମ୍ଭୀରଙ୍କ ଆତ୍ମବିଶ୍ୱାସ ଭରା ଲୋମଟାଙ୍କୁରା ପ୍ରଦର୍ଶନ ଏବେ ବି ସତେଜ ରହିଛି । ଅନ୍ତର୍ଜାତୀୟ କ୍ରିକେଟ୍‌ ବ୍ୟତୀତ ଆଇପିଏଲ୍‌ରେ ଗୌତିଙ୍କ ଦଖଲ ବଡ ନିଆରା । କୋଲକାତା ନାଇଟ୍‌ ରାଇଡର୍ସକୁ ଦୁଇଥର ଆଇପିଏଲ୍‌ ଚାମ୍ପିଅନ୍‌ କରାଇବାରେ ଗୌମ୍ଭୀରଙ୍କ ଅତୁଲନୀୟ ଅବଦାନକୁ ପାସୋରୀ ହେବ ନାହିଁ । ୨୦୧୨ ଓ ୨୦୧୪ରେ କେକେଆର୍‌ ଆଇପିଏଲ୍‌ ଚାମ୍ପିଅନ୍‌ ହୋଇଥିଲା ।
ଟିମ୍‌ ଇଣ୍ଡିଆ ପାଇଁ ୫୮ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଗମ୍ଭୀର ୯ଟି ଶତକ ଓ ୨୨ଟି ଅର୍ଦ୍ଧଶତକ ସହ ୪୧୫୪ ରନ୍‌ କରିଥିଲେ । ସେହିଭଳି ୧୪୭ଟି ଦିନିକିଆରୁ ୧୧ ଶତକ ଓ ୩୪ ଅର୍ଦ୍ଧଶତକ ସହ ୫୨୩୮ ରନ୍‌ କରିଛନ୍ତି । ୩୭ଟି ଟି-୨୦ ମ୍ୟାଚ୍‌ ଖେଳି ୭ଟି ଅର୍ଦ୍ଧଶତକ ସହ ୯୩୨ ରନ୍‌ କରିଥିଲେ । ଗୌତି’ଙ୍କ ପ୍ରଥମ ଶ୍ରେଣୀ କ୍ୟାରିୟର ଅତ୍ୟନ୍ତ ସମୃଦ୍ଧ । ସେ ୧୯୭ଟି ମ୍ୟାଚ୍‌ ଖେଳି ୪୨ ଶତକ ଓ ୬୮ ଅର୍ଦ୍ଧଶତକ ସହ ୧୫,୦୪୧ ରନ କରିଛନ୍ତି । ପୁନଶ୍ଚ ୨୯୯ ଲିଷ୍ଟ ଏ’ ମ୍ୟାଚ୍‌ରୁ ୧୦,୧୭୭ ରନ୍‌ କରିଥିଲେ । ଶେଷଥର ପାଇଁ ୨୦୧୬ ନଭେମ୍ବର ୯ରେ ରାଜକୋଟ୍‌ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ । ସେହିଭଳି ହିମାଳୟର ପାଦଦେଶ ଧର୍ମଶାଳା ଷ୍ଟାଡିୟମ୍‌ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ତାଙ୍କ କ୍ୟାରିୟରର ଶେଷ ଦିନିକିଆ ଥିଲା ।
ଟିମ୍‌ ଇଣ୍ଡିଆ ପାଇଁ ଜଣେ ନିର୍ଭରଯୋଗ୍ୟ ଓପନିଂ ବ୍ୟାଟ୍ସମ୍ୟାନ୍‌ ହେବା ସାଙ୍ଗକୁ ଦଳର ନେତୃତ୍ୱ ନେଇ ନିଜ ପାରିବା ପଣିଆର ପରିଚୟ ଦେଇଥିଲେ । ବେଶ କିଛି ଦିନ ହେବ ଗମ୍ଭୀର ଖରାପ ଫର୍ମ ଯୋଗୁଁ ଜାତୀୟ ଦଳକୁ ଆଉ ଫେରିପାରିନାହାନ୍ତି । କେବଳ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଓ ଆଇପିଏଲ୍‌ରେ ସେ ସକ୍ରିୟ ଥିଲେ । ଗତ ସିଜନ୍‌ରେ ଗୌତି ଅଧିନାୟକ ପଦ ଛାଡିବା ପରଠୁ ଚୂଡାନ୍ତ ଏକାଦଶରେ ଖେଳିବା ସୌଭାଗ୍ୟ ପାଇନଥିଲେ । ଏପରିକି ୨୦୧୯ ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣ ନିମନ୍ତେ ଆଗାମୀ ୧୮ ତାରିଖରେ ଖେଳାଳି ନିଲାମ ହେବ । ଦିଲ୍ଲୀ ଡେୟାରଡେଭିଲ୍ସ ତାଙ୍କୁ ଦଳରୁ ମୁକ୍ତ କରିବା ପରେ ଗମ୍ଭୀର ନିଲାମରେ ବିକ୍ରି ହେବେ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଅଯଥା ଅପଦସ୍ତ ଓ ନିନ୍ଦିତ ହେବା ପୂର୍ବରୁ ସସମ୍ମାନରେ କ୍ରିକେଟ୍‌ରୁ ଅବସର ନେବା ତାଙ୍କ ପାଇଁ ଉଚିତ ହେବ ବୋଲି ସେ ହୃଦବୋଧ କରିଛନ୍ତି । ତେବେ ଯାହା କୁହାଯାଉଛି, ଗୌତି ଖରାପ ଫର୍ମ ଯୋଗୁଁ ଅବସର ନେଇଛନ୍ତି, ତାହା ନୁହେଁ, ବରଂ ରାଜନୈତିକ କ୍ୟାରିୟର ଆରମ୍ଭ କରିବାକୁ ଯାଉଥିବାରୁ କ୍ରିକେଟ୍‌ଠୁ ଦୂରେଇବାକୁ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ଏକ ଜାତୀୟ ଦଳ ସହ ଗମ୍ଭୀର ଯୋଗଦେବେ । ଏଥିସହ ସେ ବିଧାୟକ କିମ୍ବା ସାଂସଦ ଭାବେ ନିର୍ବାଚନ ଲଢ଼ିବେ ବୋଲି ବିଶେଷସୂତ୍ରରୁ ଜଣାପଡିଛି । ନିର୍ବାଚନ ପାଖେଇ ଆସୁଥିବାରୁ ସେ କ୍ରିକେଟ୍‌ ଛାଡିବାକୁ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here