nalco

ଭୁବନେଶ୍ୱର: ବିକାଶ ଆବାସିକ ବିଦ୍ୟାଳୟ ଖେଳପଡ଼ିଆରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ସି’ ଗୋଆ ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶାର ସ୍ଥିତି ମଜଭୁତ ରହିଛି । ପ୍ରଥମ ପାଳିରେ ଓଡ଼ିଶା ୩୫୨ ରନ୍‌ କରିଥିବା ବେଳେ ଗୋଆ ୧୧୬ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି । ଘରୋଇ ଓଡ଼ିଶା ଦଳ ପ୍ରଥମ ପାଳିରେ ୨୩୬ ରନ୍‌ର ଅଗ୍ରଣୀ ହାସଲ ସତ୍ତେ୍ୱ ଗୋଆକୁ ଫଲୋଅନ୍‌ ନଦେଇ ଦ୍ୱିତୀୟ ପାଳି ଆରମ୍ଭ କରିଛି । ଦ୍ୱିତୀୟ ଦିବସ ଷ୍ଟମ୍ପଅପସାରଣ ବେଳକୁ ଓଡ଼ିଶା ୧୧ ଓଭରରେ ସନ୍ଦିପ ପଟ୍ଟନାୟକଙ୍କ ୱିକେଟ୍‌ ହରାଇ ୩୭ ରନ୍‌ କରିଛି । ଅନୁରାଗ ଷଡଙ୍ଗୀ ୨୩ ଓ ଦେବାଶିଷ ସାମନ୍ତରାୟ ୯ ରନ୍‌ କରି ଅପରାଜିତ ଥିଲେ । ଦ୍ୱିତୀୟ ଦିନ ୧୪ ୱିକେଟ୍‌ ପତନ ଘଟିଥିଲା ।
ଦ୍ୱିତୀୟ ଦିନ ଓଡ଼ିଶା ଅସମାପ୍ତ ପ୍ରଥମ ଇନିଂସ୍‌ ୨୨୯/୭ରୁ ବ୍ୟାଟିଂ ଆରମ୍ଭ କରିଥିଲା । ୨୧ ରନ୍‌ କରି ଅପରାଜିତ ଥିବା ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକାନ୍ତ ପ୍ରଧାନ ଅର୍ଦ୍ଧଶତକ ହାସଲ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ସେ ୫୯ ରନ୍‌ ବଲରୁ ୫ ଚୌକା ଓ ୪ ଛକା ସହାୟତାରେ ୬୫ ରନ୍‌ କରିଥିଲେ । ଅଭିଷେକ ରାଉତ ୩୩, ବସନ୍ତ ମହାନ୍ତି ୨୮ ଓ ରାଜେଶ ମହାନ୍ତି ଅପରାଜିତ ୩୦ ରନ୍‌ କରିଥିଲେ । ପୂର୍ବରୁ ସନ୍ଦିପ ପଟ୍ଟନାୟକ ୧୦୦ ରନ୍‌ କରିଥିଲେ । ଓଡ଼ିଶା ୩୫୨ ରନ୍‌ରେ ଅଲ୍‌ଆଉଟ୍‌ ହେବାପରେ ଗୋଆ ପ୍ରଥମ ଇନିଂସ୍‌ ଆରମ୍ଭ କରିଥିଲା । ଓଡ଼ିଶାର ଦ୍ରୁତ ବୋଲିଂ ଆଗରେ ଗୋଆ ବ୍ୟାଟ୍ସମ୍ୟାନ୍‌ ବେଶି ସମୟ ତିଷ୍ଠି ପାରିନଥିଲେ । ରାଜେଶ ମହାନ୍ତି, ବସନ୍ତ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଶାଣିତ ବୋଲିଂ କରି ଗୋଆକୁ ୧୧୬ ରନ୍‌ରେ ସୀମିତ ରଖିଥିଲେ । ସୂର୍ଯ୍ୟକାନ୍ତ ସର୍ବାଧିକ ୫ଟି, ରାଜେଶ ୩ଟି ଓ ବସନ୍ତ ୨ ୱିକେଟ୍‌ ଅକ୍ତିଆର କରିଥିଲେ । ଗୋଆ ଅଧିନାୟକ, ସଗୁନ୍‌ କାମତ ସର୍ବାଧିକ ୪୩ ରନ୍‌ କରିଥିଲେ । ମ୍ୟାଚ୍‌ର ଆଉ ଦିନ ଖେଳ ବାକିଥିବାରୁ ଏହି ମ୍ୟାଚ୍‌ରେ ଓଡ଼ିଶା ବିଜୟୀ ହେବାର ଭରପୂର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here