ଭୁବନେଶ୍ୱର: ଓଡ଼ିଶାର ପୁରାତନ ରାଜଧାନୀ କଟକର ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଚାଲିଥିବା ୮୦ତମ ଜାତୀୟ ସିନିୟର ଏବଂ ଆନ୍ତଃ ରାଜ୍ୟ ଟେବୁଲ ଟେନିସ୍‌ ଚାମ୍ପିଅନ୍‌ସିପ୍‌ର ପୁରୁଷ ମହିଳା ବର୍ଗର କ୍ୱାର୍ଟରଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ୍‌ ପିଏସ୍‌ପିବି ଓ ତାମିଲନାଡୁ ପ୍ରବେଶ କରିଛନ୍ତି ।
ପିଏସ୍‌ପିବି ମହିଳା ଦଳ ପ୍ରି-କ୍ୱାର୍ଟରରେ ଦିଲ୍ଲୀକୁ ୩-୦ରେ ହରାଇଥିବା ବେଳେ ପୁରୁଷ ଦଳ ୩-୦ରେ ଆସାମକୁ ହରାଇଛି । ସେହିଭଳି ତାମିଲନାଡୁର ଉଭୟ ପୁରୁଷ ଓ ମହିଳା ବିଜୟୀ ହୋଇ କ୍ୱାର୍ଟରଫାଇନାଲରେ ସ୍ଥାନ ପMା କରିଛନ୍ତି । ପିଏସ୍‌ପିବିର ମୌମା ଦାସ ପ୍ରଥମ ସିଙ୍ଗଲ୍ସ ମ୍ୟାଚ୍‌ ଖେଳିଥିଲେ । ମୌମା ୧୧-୪, ୮-୧୧, ୧୧-୮, ୧୧-୨ ଗେମ୍‌ରେ ଦିଲ୍ଲୀର ବନ୍‌ସିକା ଭାର୍ଗବଙ୍କୁ ହରାଇଥିଲେ । ସାଥୀ ଖେଳାଳି ମଧୁରିକା ପାଟକର ୧୨-୧୦, ୧୧-୭, ୧୦-୧୨, ୧୧-୫ ଗେମ୍‌ରେ କିର୍ତିକା ମଲ୍ଲିକଙ୍କୁ ହରାଇଥିବା ବେଳେ ଅର୍ଚ୍ଚନା କାମଥ୍‌ ୧୧-୫, ୧୬-୧୪, ୧୧-୪ ଗେମ୍‌ରେ ଗାରିମା ଗୌଏଲଙ୍କୁ ହରାଇଥିଲେ । ଗତ ସଂସ୍କରଣରେ ସେମିଫାଇନାଲ ଖେଳିଥିବା ତାମିଲନାଡୁ ଦଳ ୩-୧ରେ ନର୍ଥ ବେଙ୍ଗଲକୁ ହରାଇଛି । ଏହି ମ୍ୟାଚ୍‌ରେ ନର୍ଥ ବେଙ୍ଗଲର ନିକିତା ସରକାର ୮-୧୧, ୧୧-୮, ୧୧-୪, ୧୦-୧୨, ୧-୧୧ ଗେମ୍‌ରେ ତାମିଲନାଡୁର ଅମ୍ରୁଥା ପୁଷ୍ପକଙ୍କୁ ହରାଇଥିଲେ । ଏହାପରେ ତାମିଲନାଡୁ ଆଉ ୩ଟି ଗେମ୍‌ରେ ବାଜି ମାରିଥିଲା । ତାମିଲନାଡୁର ରିତା ରିସ୍ୟା, ବିଦ୍ୟା ନରସିହ୍ମା ବିଜୟୀ ହୋଇଥିଲେ । ଅନ୍ୟ ପ୍ରି-କ୍ୱାର୍ଟର ମ୍ୟାଚ୍‌ ଗୁଡିକରେ ତେଲେଙ୍ଗାନା, ମହାରାଷ୍ଟ୍ର ଏ’, ମହାରାଷ୍ଟ୍ର ବି’, ପଶ୍ଚିମବଙ୍ଗ, ତାମିଲନାଡୁ, ଗୁଜରାଟ୍‌ ବିଜୟୀ ହୋଇ କ୍ୱାର୍ଟର ଯୋଗ୍ୟତା ହାସଲ କରିଛନ୍ତି । ଓଡ଼ିଶା ମହିଳା ଦଳ ପାଇଁ ଆଜି ନିରାଶର ଦିନ ଥିଲା । ଗୁଜରାଟ ନିକଟରୁ ଦଳ ପରାଜିତ ହୋଇ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ ପଡ଼ିଛି ।
ପୁରୁଷ ବର୍ଗରେ ଡିଫେଣ୍ଡିଂ ଚାମ୍ପିଅନ୍‌ ପିଏସ୍‌ପିବି, ବିଜୟୀ ହୋଇଥିଲା । ଦଳର ଜି ସାଥିଆନ୍‌ ୧୧-୪, ୧୧-୩, ୧୧-୧ ଗେମ୍‌ରେ ଆସାମର ଅଙ୍ଗନିଭ ଗୋହେନଙ୍କୁ ଏବଂ ଏ ସାର୍ଥକ କମଲ ୧୧-୮, ୧୧-୭, ୧୨-୧୦ ଗେମରେ ବିରଦି ବୋର୍‌ଙ୍କୁ ହରାଇଥିଲେ । ତୃତୀୟ ମ୍ୟାଚ୍‌ରେ ସୁଦାଂଶୁ ଗ୍ରୋଭର ୯-୧୧, ୧୧-୫, ୧୧-୭, ୧୧-୭ ଗେମ୍‌ରେ ଶଙ୍କବ ବରୁଆଙ୍କୁ ହରାଇଥିଲେ । ତାମିଲନାଡୁ ପ୍ରି-କ୍ୱାର୍ଟରରେ ରାଜସ୍ଥାନକୁ ୩-୦ରେ ହରାଇଛି । ସୁମିତ ଶ୍ରୀରାମ ୧୧-୩, ୧୩-୧୧, ୧୧-୪ ଗେମ୍‌ରେ ଆବୁଜ୍‌ ୱାନଙ୍କୁ, ନୀତିନ ଟି ୧୩-୧୧, ୧୧-୪, ୧୧-୫ ଗେମ୍‌ରେ ବିବେକ ଭାର୍ଗବଙ୍କୁ ଏବଂ ତୃତୀୟ ମ୍ୟାଚ୍‌ରେ ସୁରେଶ ନିଖିଳ ୧୧-୭, ୧୧-୯, ୧୪-୧୨ ଗେମ୍‌ରେ ଆସିଫ୍‌ ଖାନ୍‌ଙ୍କୁ ହରାଇଥିଲେ । ପ୍ରି-କ୍ୱାର୍ଟରଫାଇନାଲର ଅନ୍ୟ ମ୍ୟାଚ୍‌ ଗୁଡିକରେ ହରିୟାଣା, ଉତ୍ତରପ୍ରଦେଶ, ଗୁଜରାଟ, ଆର୍‌ଏସ୍‌ପିବି, ତାମିଲନାଡୁ, ଦିଲ୍ଲୀ, ମହରାଷ୍ଟ୍ର ଏ’ ବିଜୟୀ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here