ଅଷ୍ଟ୍ରେଲିଆ ୧-୦ରେ ସିରିଜ୍‌ ଅଗ୍ରଣୀ
୪ ରନ୍‌ରେ ହାରିଲା ଭାରତ
ଧାୱନଙ୍କ ଲଢ଼େଇ ବ୍ୟର୍ଥ
ଜାମ୍ପା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌
ବି୍ରସ୍‌ବେନ୍‌ : ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଶୃଙ୍ଖଳା ଆରମ୍ଭରୁ ଭାରତ ଝୁଣ୍ଟିଛି । ବର୍ଷାବାଧାପ୍ରାପ୍ତ ବ୍ରିସ୍‌ବେନ୍‌ ମ୍ୟାଚ୍‌ରେ ଘରୋଇ ଦଳ ଡକ୍‌ୱର୍ଥ ଲୁଇସ୍‌ ନିୟମରେ ୪ ରନ୍‌ରେ ବିଜୟୀ ହୋଇଛି । ଏଥିସହ ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୭ ଓଭରରେ ୧୫୮/୪ ରନ୍‌ କରିଥିଲା । ବର୍ଷା କାରଣରୁ ମ୍ୟାଚ୍‌ କିଛି ସମୟ ବନ୍ଦ ରହିଥିବା ବେଳେ ଡିଏଲ୍‌ ନିୟମ ଅନୁଯାୟୀ ଭାରତ ସମ୍ମୁଖରେ ୧୭ ଓଭରରେ ୧୭୪ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଏହାକୁ ପିଛା କରି ଭାରତ ୧୭ ଓଭରରେ ୭ ୱିକେଟ୍‌ ହରାଇ ୧୬୯ ରନ୍‌ କରିଥିଲା । ଜମାଣିଆ ପ୍ରଦର୍ଶନ ପାଇଁ ଅଷ୍ଟ୍ରେଲିଆର ଆଡାମଜାମ୍ପାଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା ।
୧୭୪ ରନ୍‌ର ବିଜୟଲକ୍ଷ୍ୟ ଭାରତ ପାଇଁ ସହଜସାଧ୍ୟ ମନେ ହେଉଥିଲା । ଓପନର ଶିଖର ଧାୱନ ଓ ରୋହିତ ଶର୍ମା ପାଳି ଆରମ୍ଭ କରିଥିଲେ । ୭ ରନ କରି ରୋହିତ ପାଭିଲିୟନ୍‌ ଫେରିଥିବା ବେଳେ ଧାୱନ ୪୨ ବଲ୍‌ରୁ ୧୦ ଚୌକା ଓ ୨ ଛକା ସହାୟତାରେ ୭୬ ରନ୍‌ କରିଥିଲେ । ଲୋକେସ ରାହୁଲ ୧୩, ଅଧିନାୟକ ବିରାଟ କୋହଲି ୪, ରିଷଭ ପନ୍ତ ୧୬ ବଲ୍‌ରୁ ୨୦ ଓ ଦିନେଶ କାର୍ତ୍ତିକ ୧୩ ବଲ୍‌ରୁ ୩୦ ରନ୍‌ କରିଥିଲେ । ଏହା ସତ୍ତେ୍ୱ ଭାରତ ବିଜୟଲକ୍ଷ୍ୟଠୁ ମାତ୍ର ୪ ରନ୍‌ ପଛରେ ରହିଯାଇଥିଲା । ବୋଲିଂରେ ଅଷ୍ଟ୍ରେଲିଆର ଆଡାମ୍‌ ଜାମ୍ପା ଓ ମାର୍କସ୍‌ ଷ୍ଟୋଇନିସ୍‌ ୨ଟି ଲେଖାଏଁ, ଆଣ୍ଡ୍ରୁ ଟେ’, ବିଲି ଷ୍ଟାନ୍‌ଲେକ୍‌ ଓ ବେହରେନ୍‌ ଡ୍ରଫ୍‌ ଗୋଟିଏ କରି ୱିକେଟ୍‌ ସଫଳତା ପାଇଥିଲେ । ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପକ୍ଷରୁ ସର୍ଟ ୭, ଅଧିନାୟକ ଫିଞ୍ଚ ୨୭, ଲିନ୍‌ ୩୭, ମ୍ୟାକ୍ସେୱଲ ୪୬, ଷ୍ଟୋଇନିସ୍‌ ଅପରାଜିତ ୨୭ ରନ୍‌ କରିଥିଲେ । ବୋଲିଂରେ କୁଲଦୀପ ଯାଦବ ୨ଟି, ଖଲିଲ ଅହମ୍ମଦ ଓ ଯଶପ୍ରୀତ ବୁମରା ଗୋଟିଏ ୱିକେଟ୍‌ ସଫଳତା ପାଇଥିଲେ । ଅଷ୍ଟ୍ରେଲିଆ ଇନିଂସର ୧୬.୧ ଓଭର ବେଳେ ବର୍ଷା ଆରମ୍ଭ ହେବାରୁ ପାଖାପାଖି ଏକ ଘଣ୍ଟା ଧରି ଖେଳ ବନ୍ଦ ରହିଥିଲା । ଏହାପରେ ମ୍ୟାଚ୍‌କୁ ୧୭ ଓଭର ବିଶିଷ୍ଟ ଘୋଷଣା କରାଯାଇଥିଲା । ୨୩ ତାରିଖ ମେଲବୋର୍ଣ୍ଣରେ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ ।

Loading...

LEAVE A REPLY

Please enter your comment!
Please enter your name here