ଖୁବ୍‌ ଶୀଘ୍ର ଟିକେଟ୍‌ ମିଳିବା ନେଇ ସ୍ପଷ୍ଟ କରିବ କ୍ରୀଡା ବିଭାଗ
ଭୁବନେଶ୍ୱର,୧୫ା୧୧(ସବୁ୍ୟ): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୮ ତାରିଖରୁ ପୁରୁଷ ହକି ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି । ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ୨୭ରେ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉସିବ ଆୟୋଜିତ ହେବ । ବଲିଉଡ ବାଦଶାହ ଶାହରୁଖ ଖାନ୍‌ଙ୍କ ସାଙ୍ଗକୁ ଏଆର୍‌ ରେହମାନ ଉଦ୍‌ଘାଟନୀ ଉସିବକୁ ଉପଭୋଗ କରିବେ । ଏଦୃଷ୍ଟିରୁ ଉଦ୍‌ଘାଟନୀ ଉସିବ ନିମନ୍ତେ ଟିକେଟ୍‌ ବିକ୍ରିର ବ୍ୟବସ୍ଥା କରିଛି କ୍ରୀଡା ବିଭାଗ । ତେବେ ଉଦ୍‌ଘାଟନୀ ନିମନ୍ତେ ଅଫ୍‌ଲାଇନ୍‌ ବା କାଉଣ୍ଟରରେ ଟିକେଟ୍‌ ବିକ୍ରି ହେବ ନାହିଁ । କେବଳ ଅନ୍‌ଲାଇନ୍‌ରେ ଦର୍ଶକ ଟିକେଟ୍‌ ବୁକ୍‌ କରିପାରିବେ ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ସଚିବ ବିଶାଲ ଦେବ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଦିନେ ଦୁଇ ଦିନ ଭିତରେ ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ହେବ । ଖବ୍‌ ଶୀଘ୍ର ଏନେଇ କ୍ରୀଡା ବିଭାଗ ପକ୍ଷରୁ ସୂଚନା ଦିଆଯିବ । ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ଆଜି ୯ ନମ୍ବର ଗେଟ୍‌ କାଉଣ୍ଟରରେ ଟିକେଟ୍‌ ବିକ୍ରି ହେବାର ଥିଲା । ହେଲେ ଟିକେଟ୍‌ ବିକ୍ରି ନହେବାରୁ ହକିପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି କିଛି ଲୋକ ଉତ୍ତ୍ୟକ୍ତ ହୋଇ କାଉଣ୍ଟର ସାମ୍ନାରେ ଥିବା ପୋଷ୍ଟର୍‌ ଓ ବ୍ୟାରିକେଡ୍‌ ଭଙ୍ଗାରୁଜା କରିଥିଲେ । ଏହା ପରେ କ୍ରୀଡ଼ା ଓ ଯୁବ ସେବା ସଚିବ ଏଭଳି ସୂଚନା ଦେଇଛନ୍ତି ।
କାଉଣ୍ଟର ସାମ୍ନାରେ ଭଙ୍ଗାରୁଜା କରୁଥିବା ଲୋକଙ୍କୁ ପୋଲିସ୍‌ ଘଉଡ଼ାଇଥିଲା । ବିଶ୍ୱକପ୍‌ ହକି ଉଦଘାଟନୀ ଉତ୍ସବର ଟିକେଟ୍‌ ନଭେମ୍ବର ୧୫ ତାରିଖରୁ ବିକ୍ରି ହେବାର ସମ୍ଭାବନା ଥିବା ପୂର୍ବରୁ କ୍ରୀଡା ସଚିବ ଘୋଷଣା କରିଥିଲେ ।

ଉତ୍ତ୍ୟକ୍ତ ଦର୍ଶକଙ୍କ କାଉଣ୍ଟରରେ ଭଙ୍ଗାରୁଜା
ଘଟଣାକ୍ରମରେ, କଳିଙ୍ଗ ଷ୍ଠାଡ଼ିୟମ ୯ ନମ୍ବର ଗେଟ ଟିକେଟ କାଉଣ୍ଟର ସମ୍ମୁଖରେ ପୂର୍ବଦିନ ରାତିରୁ ଦର୍ଶକମାନେ ଟିକେଟ ଲାଗି ଧାଡ଼ି କରିଥିଲେ । ରାତି ସାରା ହଜାର ହଜାର ଦର୍ଶକ ଲାଇନରେ ଠିଆ ହୋଇଥିବା ବେଳେ ସକାଳୁ ଷ୍ଟାଡିୟମ କର୍ତ୍ତୃପକ୍ଷ କାଉଣ୍ଟର ନିକଟ କାନ୍ଥରେ ଟିକେଟ୍‌ ନାହିଁ ବୋଲି ନୋଟିସ୍‌ ଲଗାଇଥିଲେ । ଏଥିଯୋଗୁ ଧାଡ଼ିରେ ଛିଡ଼ା ହୋଇଥିବା ଦଶର୍କମାନେ ହତାଶ ହୋଇ ଟିକେଟ କାଉଣ୍ଟରରେ ଭଙ୍ଗାରୁଜା ଆରମ୍ଭ କରି ଦେଇଥିଲେ । ଏଭଳି ଘଟଣା ସକାଳ ୮ଟା ୧୫ରୁ ୮ଟା ୩୦ ମିନିଟ ମଧ୍ୟରେ ଘଟିଥିଲା । ପ୍ରବଳ ଭିଡକୁ ଦୃଷ୍ଟିରେ ରଖି କାଉଣ୍ଟର ନିକଟରେ ପୋଲିସ୍‌ ମୁତୟନ ହୋଇଥିଲେ । ଦର୍ଶକଙ୍କ ଉନ୍ମତ୍ତକାଣ୍ଡକୁ ରୋକିବା ପାଇଁ ପୋଲିସ୍‌ ପକ୍ଷରୁ ମୃଦୁ ଲାଠି ଚାଳନା କରାଯାଇଥିଲା । ଫଳରେ ହିଂସାକାଣ୍ଡ ଘଟାଉଥିବା ଦର୍ଶକ ଲାଠି ମାଡରେ ଛତ୍ରଭଙ୍ଗ ଦେଇଥିଲେ ।
ପୂର୍ବରୁ କାଉଣ୍ଟରରେ ଭାରତର ସମସ୍ତ ମ୍ୟାଚ୍‌ ତଥା ନକଆଉଟ୍‌ ପର୍ଯ୍ୟାୟ କ ୍ୱାର୍ଟର ଫାଇନାଲ, ସେମିଫାଇନାଲ ଓ ଫାଇନାଲ ଟିକେଟ ସରିଯାଇଥିବା କୁହାଯାଥିଲା । ଏଦୃଷ୍ଟିରୁ ଦର୍ଶକ ନିରାଶ ଥିଲେ । ଆଜି ଉଦଘାଟନୀ ଟିକେଟ୍‌ ମିଳୁନଥିବା ଜାଣିବା ପରେ ଉତ୍‌କ୍ଷିପ୍ତ ହୋଇପଡି ଭଙ୍ଗାରୁଜା କରିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here