nalco

ସିଡନୀ: ଐତିହାସିକ ସିଡ଼ନୀ ଷ୍ଟାଡିୟମ୍‌ରେ ଟିମ୍‌ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଓ ଋଷଭ ପନ୍ତ ଘରୋଇ କଙ୍ଗାରୁ ଦଳକୁ ପାଣି ପିଆଇଛନ୍ତି । ଉଭୟଙ୍କ ଜମାଣିଆ ବ୍ୟାଟିଂ ଯୋଗୁଁ ଭାରତ ମଜଭୂତ ସ୍ଥିତିରେ ପହଞ୍ଚିଛି । ପ୍ରଥମ ଇନିଂସରେ ଭାରତ ୭ ୱିକେଟ୍‌ ହରାଇ ୬୨୨ ରନ୍‌ କରିବା ପରେ ପାଳି ଘୋଷଣା କରିଛି । ଦ୍ୱିତୀୟ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ ବ୍ୟାଟିଂ ଆରମ୍ଭ କରି ୧୦ ଓଭରରେ ବିନା କୌଣସି ୱିକେଟ୍‌ ହରାଇ ୨୪ରନ୍‌ କରିଛି । ପୂଜାରା ଓ ପନ୍ତ ଶତକୀୟ ଇନିଂସ ଖେଳି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି ।
ପ୍ରଥମ ଦିନରେ ଭାରତ ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ୪ ୱିକେଟ୍‌ ହରାଇ ୩୦୩ ରନ୍‌ କରିଥିଲା । ଦଳର ଅସମାପ୍ତ ପାଳିକୁ ଆଜି ଚେତେଶ୍ୱର ପୂଜାରା ଓ ହନୁମା ବିହାରୀ ଆଗେଇ ନେଇଥିଲେ । ହେଲେ ହନୁମା ଆଜି ଭଲ ଖେଳି ପାରି ନଥିଲେ । ତାଙ୍କ ବ୍ୟକ୍ତିଗତ ସ୍କୋରରେ ମାତ୍ର ୩ ରନ୍‌ ଯୋଡ଼ିବାକୁ ସକ୍ଷମ ହୋଇଥିଲେ । ୯୬ଟି ବଲରୁ ୪୨ ରନ୍‌ କରି ସେ ନାଥନ ଲିଅନଙ୍କ ଶିକାର ହୋଇଥିଲେ । ୨୫୦ ବଲରୁ ୧୩୦ ରନ୍‌ ସଂଗ୍ରହ କରିଥିବା ଚେତେଶ୍ୱର ପୂଜାରା ଆଜି ଆଉ ୬୩ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ । ସେ ୩୭୩ ବଲରୁ ୨୨ଟି ଚୌକା ସହାୟତାରେ ୧୯୩ ରନ୍‌ କରି ପାଭିଲିଅନ୍‌ ଫେରିଥିଲେ । ଲିଅନଙ୍କ ଦ୍ୱାରା ସେ କଟ୍‌ ଆଣ୍ଡ ବୋଲï ହୋଇଥିଲେ । ମାତ୍ର ୭ ରନ୍‌ ପାଇଁ ପୂଜାରା ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ । ପୂଜାରାଙ୍କ ୱିକେଟ୍‌ ପତନ ପରେ ରିଷଭ ପନ୍ତ ଓ ରବିନ୍ଦ୍ର ଜାଡେଜା ପାଳି ସମ୍ଭାଳି ଥିଲେ ।
ପନ୍ତ ୧୩୭ତମ ବଲରେ ତାଙ୍କର ଦ୍ୱିତୀୟ ଟେଷ୍ଟ ଶତକ କରିଥିଲେ । ସେ ୧୮୯ ବଲରୁ ୧୪୫ ରନ୍‌ ସଂଗ୍ରହ କରି ଅପରାଜିତ ରହିଥିଲେ । ସେ ୧୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଅଷ୍ଟ୍ରେଲିଆରେ ଶତକ ମାରିବାରେ ରିଷଭ ପ୍ରଥମ ଭାରତୀୟ ୱିକେଟ୍‌ କିପର ହୋଇଛନ୍ତି । ସେହିପରି ତେନ୍ଦୁଲକରଙ୍କ ପରେ ଅଷ୍ଟ୍ରେଲିଆରେ ଶତକ ମାରିବାରେ ସେ ହେଉଛନ୍ତି ସର୍ବ କନିଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ୍‌ । ଅନ୍ୟପକ୍ଷରେ ରବିନ୍ଦ୍ର ଜାଡେଜା ବି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ସେ ଶତକ ଆଡ଼କୁ ଆଗଉ ଥିବା ବେଳେ ଲିଅନ ତାଙ୍କୁ କ୍ଲିନ୍‌ବୋଲï କରିଥିଲେ । ଜାଡେଜା ୧୧୪ଟି ବଲରୁ ୭ ଚୌକା ଓ ଗୋଟିଏ ଛକା ସହାୟତାରେ ୮୧ ରନ୍‌ ସଂଗ୍ରହ କରିଥିଲେ । ଏହାପରେ ଅଧିନାୟକ ବିରାଟ କୋହଲି ପାଳି ଘୋଷଣା ସଂକେତ ଦେଇଥିଲେ ।
ଅଷ୍ଟ୍ରେଲିଆ ପକ୍ଷରୁ ଲିଅନ ସର୍ବାଧିକ ୪ଟି ୱିକେଟ୍‌ ନେଇଥିବା ବେଳେ ଜୋଶ୍‌ ହେଜଲେ୍‌ଉଡ୍‌ ୨ଟି ଓ ମିଚେଲ ଷ୍ଟାର୍କ ଗୋଟିଏ ୱିକେଟ୍‌ ନେଇଥିଲେ । ସୂଚନାଯୋଗ୍ୟ, ଭାରତ ଏହି ସିରିଜରେ ୨-୧ରେ ଆଗୁଆ ରହିଥିବା ବେଳେ ଅଷ୍ଟ୍ରେଲିଆ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି । ଏହି ମ୍ୟାଚ୍‌ ଜିତିଲେ ଭାରତ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ଶୃଙ୍ଖଳା ଜିତିବାର କୀର୍ତ୍ତିମାନ ରଚିବ ।

LEAVE A REPLY

Please enter your comment!
Please enter your name here