ଭୁବନେଶ୍ୱର, ୦୪ ଜାନୁଆରୀ – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶନିବାର ଓଡିଶା ଗସ୍ତରେ ଆସିବେ । ଓଡିଶା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୪,୫୦୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ପ୍ରକଳ୍ପ ସମୂହକୁ ରାଷ୍ଟ୍ର ନିମନ୍ତେ ଲୋକାର୍ପଣ କରିବେ ।
ପ୍ରକଳ୍ପ ଗୁଡିକ ମଧ୍ୟରେ ମୋଦି ୩୩୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୦ କିମି ଲମ୍ବ ତିନୋଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭୂମି ପୂଜନ କରିବେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ୨୧୫ ନମ୍ବର ଜାତୀୟ ରାଜପଥର ରିମୁଳି-କୋଇଡ଼ା ଭାଗ (ନୂତନ ୫୨୦ ନଂ ଜାତୀୟ ରାଜପଥ)କୁ ୪ ଲେନ ବିଶିଷ୍ଟ କରିବା, ୨୧୫ ନଂ ଜାତୀୟ ରାଜପଥ(ନୂଆ ୫୨୦ ନଂ ଜାତୀୟ ରାଜପଥ)ର କୋଇଡ଼ା-ରାଜାମୁଣ୍ଡା ଭାଗକୁ ଚାରି ଲେନ ବିଶିଷ୍ଟ କରିବା ଏବଂ ୬ ନଂ ଜାତୀୟ ରାଜପଥ (ନୂତନ ୪୯ ନଂ ଜାତୀୟ ରାଜପଥ)ର ସିଙ୍ଗାରା-ବିଞ୍ଜାବାହାଲ ଭାଗକୁ ୪ ଲେନବିଶିଷ୍ଟ କରାଯିବ । ଏହି ପ୍ରକଳ୍ପଗୁଡ଼ିକ ଅଧୀନରେ ୪ଟି ବାଇପାସ, ୩ଟି ଫ୍ଲାଏଓଭର, ୧୧ଟି ବାହନ ଅଣ୍ଡରପାସ, ୧୨ଟି ବୃହତ ସେତୁ, ୫୦ଟି ସାଧାରଣ ସେତୁ ଏବଂ ୩୪ କିମି ସର୍ଭିସ ରୋଡ ରହିଛି ।
ବାରିପଦାଠାରେ ସେ ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ସେକ୍ସନ ଏଲପିଜି ପାଇପଲାଇନ ପ୍ରକଳ୍ପ ଏବଂ ବାଲେଶ୍ୱର ବହୁମୂଖୀ ଲଜିଷ୍ଟିକ ପାର୍କର ଲୋକାର୍ପଣ କରିବେ । ଏହା ବ୍ୟତୀତ ହରିପୁରଗଡ ଠାରେ ଥିବା ଐତିହାସିକ ଦୁର୍ଗର ରସିକରାୟ ମନ୍ଦିରର ବିକାଶ ଓ ସଂରକ୍ଷଣ କାର୍ଯ୍ୟକୁ ଶୁଭାରମ୍ଭ କରିବେ । ଏହାସହ ରାଜ୍ୟର ୬ଟି ପାସପୋର୍ଟ ସେବା କେନ୍ଦ୍ର ଉଦ୍ଘାଟନ କରିବା ସହ ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିବେ । ଟାଟାନଗର-ବାଦାମପାହାଡ ମଧ୍ୟରେ ଦ୍ୱିତୀୟ ପାସେଞ୍ଜର ଟ୍ରେନର ଚଳାଚଳକୁ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ବାରିପଦାଠାରେ ଏକ ଜନସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଝାଡଖଣ୍ଡରେ ଗସ୍ତରେ ଯାଇ ସେଠାରେ ସେ ଉତର କୋଏଲ (ମଣ୍ଡଳ ଡ୍ୟାମ) ପ୍ରକଳ୍ପର ପୁନରୁଦ୍ଧାର ଏବଂ କହଁର ଷ୍ଟୋନ ପାଇପଲାଇନ ଜଳସେଚନ ପ୍ରକଳ୍ପର ଆଧାରଶିଳା ରଖିବେ ।ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ୨୫ ହଜାର ହିତାଧିକାରୀଙ୍କ ପାଇଁ ଇ-ଗୃହ ପ୍ରବେଶ କାର୍ଯ୍ୟକୁ ଭିଡିଓ କନଫରେନ୍ସ ଜରିଆରେ ଉଦ୍ଘାଟନ କରିବେ ।

LEAVE A REPLY

Please enter your comment!
Please enter your name here