ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ପୌରାଂଚଳରେ ଥିବା ଡାକ୍ତରଖାନା ମାନଙ୍କ ନିକଟରେ ବର୍ତମାନ ୫୪ଟି ଆହାର କେନ୍ଦ୍ର ଖୋଲାଯାଇଛି । ଏହାଦ୍ୱାରା ଡାକ୍ତରଖାନାକୁ ଦୂର ସ୍ଥାନରୁ ଆସୁଥିବା ଲୋକମାନେ ମାତ୍ର ୫ ଟଙ୍କାରେ ଆହାର କେନ୍ଦ୍ରରୁ ଦିବା ଭୋଜନ ପାଇପାରୁଛନ୍ତି । ଏହି କାର୍ଯ୍ୟକ୍ରମର ଲୋକପ୍ରିୟତାକୁ ଏବଂ ଡାକ୍ତରଖାନାରେ ରହୁଥିବା ରୋଗୀମାନଙ୍କ ସମ୍ପର୍କୀୟ ମାନଙ୍କ ଆବଶ୍ୟକତା ଦୃଷ୍ଟିରେ ରଖି ଡାକ୍ତରଖାନାରେ ଥିବା ଆହାର କେନ୍ଦ୍ର ମାନଙ୍କରେ ରାତ୍ରିଭୋଜନ ବ୍ୟବସ୍ଥା ଆରମ୍ଭ ହେବ ।
ଏତଦ୍ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ସଂଯୁକ୍ତ କରିବା ଉଦ୍ଦେଶ୍ୟରେ ଅନ୍ ଲାଇନରେ ଦାନ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯିବ । ଜନସାଧାରଣ ସେମାନଙ୍କ ପ୍ରିୟଜନଙ୍କ ଜନ୍ମ ଦିବସ, ବିବାହ, ବିବାହ ବାର୍ଷିକୀ ଏବଂ ଶ୍ରାଦ୍ଧ ଆଦି ଅବସରରେ ଚାହିଁଲେ ଆହାର କେନ୍ଦ୍ର ଜରିଆରେ ଲୋକମାନଙ୍କୁ ଖାଇବାକୁ ଦେଇପାରିବେ । ଏଥିପାଇଁ କେବଳ ଅନ ଲାଇନରେ ଦାନ ଗ୍ରହଣ କରାଯିବ ଏବଂ ଏଥିରେ ଶତପ୍ରତିଶତ ଆୟକର ରିହାତି ମିଳିବ । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି ।
ସେହିପରି ବର୍ତମାନ ରାଜ୍ୟର ୭୬ଟି ପୌରାଂଚଳରେ ଆହାର କେନ୍ଦ୍ର ଥିବା ବେଳେ ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ ଠାରୁ ଏହି ସୁବିଧା ସାରା ରାଜ୍ୟର ଅବଶିଷ୍ଟ ୩୨ଟି ପୌରାଂଚଳରେ ଉପଲବ୍ଧ ହେବ । ଏହି ନୂତନ ବ୍ୟବସ୍ଥା ଦ୍ୱାରା ଆହାର କେନ୍ଦ୍ରରେ ସାରା ରାଜ୍ୟରେ ଦୈନିକ ଏକ ଲକ୍ଷ ଲୋକଙ୍କୁ ରିହାତି ଦରରେ ଖାଦ୍ୟ ଯୋଗାଇ ଦିଆଯାଇ ପାରିବ ।
ଆହାର କେନ୍ଦ୍ର ମାନଙ୍କରେ ଦିଆଯାଉଥିବା ଖାଦ୍ୟର ଗୁଣବତା ଏବଂ ପରିଚ୍ଛନ୍ନତାର ନିୟମିତ ତଦାରଖ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଉପସ୍ଥିତ ଥିଲେ ।

Loading...

LEAVE A REPLY

Please enter your comment!
Please enter your name here