ଭୁବନେଶ୍ୱର : ବିଜେଡ଼ି ଦଳର ବରିଷ୍ଠ ନେତା ବିଜୟ ତଥା ବିଧାୟକ ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ର ଦଳରୁ ଇସ୍ତଫା ଦେବା ପାଇଁ ନିଷ୍ପତି ନେଇଛନ୍ତି । ଏ ସମ୍ପର୍କରେ ବିଧିବଦ୍ଧ ଭାବେ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରି ଜଣାଇବେ ବୋଲି ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଏହି ଇସ୍ତଫା ନେଇ ଦୁହେଁ ଆଲୋଚନା କରିଛନ୍ତି । ଆଜି ମଧ୍ୟ ସେ ସମ୍ପର୍କରେ ଉଭୟ ଆଲୋଚନା କରିଥିଲେ । ଦିଲ୍ଲୀପ ରାୟଙ୍କର କହିବା ଅନୁଯାୟୀ ତାଙ୍କର ମୁଖ୍ୟତଃ ଦୁଇଟି ଦାବି ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କରିବା ଏବଂ ଆଇଜିଏଚ ହସ୍ପିଟାଲକୁ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲରେ ପରିଣତ କରିବା ପାଇଁ ବାରମ୍ବାର ଦାବି କରି ଆସୁଥିଲେ । ଏହି ଦୁଇଟି ଦାବି ପୂରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତଶ୍ରୁତି ଦେଇଥିଲେ । ମାତ୍ର ତାହା ପୂରଣ କରାଯାଇନାହିଁ । ଏହି ଦାବି ପୂରଣ କରାଯାଇନଥିବାରୁ ଦଳରୁ ଇସ୍ତଫା ଦେବା ପାଇଁ ବାଧ୍ୟ ହୋଇଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଶ୍ରୀ ମହାପାତ୍ରଙ୍କର କହିବା ଅନୁଯାୟୀ ସେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ କମିଟିର ସଭ୍ୟ ଥିଲେ ହେଁ ତାଙ୍କୁ ଜିଲ୍ଲା କମିଟିରେ ରଖାଯାଇନାହିଁ । ଆଇଓସିଏଲରେ ତାଙ୍କ ନିର୍ବାଚନ ମଣ୍ଡଳୀରୁ କୌଣସି ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଗଲା ନାହଁ । ଏହା ଦଳ ପକ୍ଷରୁ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ଅବହେଳା କରାଯାଇଛି । ଦୁଇ ବର୍ଷ ହେଲା ତାଙ୍କୁ ଦଳରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମିଲ କରାଯାଇନାହିଁ । ଇସ୍ତଫା ଦେବା ପରେ ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗ ଦେବେ ବୋଲି ପ୍ରଶ୍ନ ହେବାରୁ ସେ କହିଥିଲେ ଯେ, ବର୍ତମାନ ସେ ସମ୍ପର୍କରେ ନୀତିଗତ ଭାବେ ଆଲୋଚନା କରାଯାଇନାହିଁ । ପରବର୍ତୀ ସମୟରେ ଜଣେଇ ଦିଆଯିବ ବୋଲି ସେ କହିଥିଲେ । ବିଜେଡ଼ି ଦଳରେ ଯୋଗ ଦେବା କହିବାରୁ ସେ ରୋକଠୋକ୍ ମନା କରିଦେଇଥିଲେ ।
ଅନ୍ୟପକ୍ଷରେ ଉଭୟ ଶ୍ରୀ ମହାପାତ୍ର ଏବଂ ରାୟ ଦଳରୁ ଇସ୍ତଫା ଦେବା ସମ୍ପର୍କରେ ତାଙ୍କୁ ସେମାନେ କହିନାହାନ୍ତି କି ଜଣେଇ ନାହାନ୍ତି । ଦଳରେ କିଏ ରହିବ ନ ରହିବ ତାହା ତାଙ୍କର ବ୍ୟକ୍ତିଗତ କଥା । ପ୍ରଧାନମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଦାବି ଉପରେ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ନିଶ୍ଚିତ ଭାବରେ କାର୍ଯ୍ୟକାରୀ ହେବ । ଅବିଶ୍ୱାସ କରିବାର କିଛି ନାହିଁ । ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କର ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ ହୋଇଛି । ରାଜ୍ୟ ସରକାର ଜଙ୍ଗଲ କ୍ଲିୟରେନ୍ସ ଦେଉନଥିବାରୁ ଏହା ବିଳମ୍ବ ଘଟୁଛି । ବିଜେପି ଏକ ବୈଚାରିକ ଦୃଷ୍ଟିରେ କାର୍ଯ୍ୟ କରୁଥିବା ଦଳ । ଉଭୟଙ୍କୁ ଦଳ ପକ୍ଷରୁ ଯେତିକି ସମ୍ମାନ ଦିଆଯିବା କଥା ଦଳ ଦେଇଛି । କୌଣସି ସମୟରେ ସେମାନଙ୍କୁ ଅବହେଳା କରାଯାଇନାହିଁ କି ଅସମ୍ମାନ କରାଯାଇ ନାହିଁ ।
ସୂଚନାଯୋଗ୍ୟ ଯେ, ଉଭୟ ଶ୍ରୀ ରାୟ ଏବଂ ମହାପାତ୍ର ଦଳ ଛାଡ଼ିବା ନେଇ ରାଜନୀତି ମହଲରେ ଗତ କିଛି ଦିନ ହେଲା ଚର୍ଚ୍ଚା ହେଉଥିବା ଦେଖାଯାଇଥିଲା ।

Loading...

LEAVE A REPLY

Please enter your comment!
Please enter your name here