ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହୋଇଛି । ଗୁରୁବାର ଆଡିଲେଡ ପ୍ରଥମ ଟେଷ୍ଟର ପ୍ରଥମ ଦିନ ଭାରତର ବ୍ୟାଟିଂ ବିପର୍ଯ୍ୟୟ ସତ୍ତେ୍ୱ ଚେତେଶ୍ୱର ପୂଜାରା ଶତକୀୟ ଇନିଂସ (୧୨୩) ଖେଳି ସମ୍ମାନ ରଖିଛନ୍ତି । ପ୍ରଥମ ଦିବସ ଷ୍ଟମ୍ପଅପସାରଣ ବେଳକୁ ଭାରତ ୮୭.୫ ଓଭରରେ ୯ ୱିକେଟ୍‌ ହରାଇ ୨୫୦ ରନ୍‌ କରିଛି । ମହମ୍ମଦ ସାମି ୬ ରନ୍‌ କରି ଅପରାଜିତ ଅଛନ୍ତି ।
ଟସ୍‌ ଜିତି ଅଧିନାୟକ ବିରାଟ କୋହଲି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଆରମ୍ଭରୁ ଏହା ବୁମେରାଂ ସାବ୍ୟସ୍ତ ହୋଇଥିଲା । ଦଳୀୟ ସ୍କୋର ୪୧ ରନ୍‌ରେ ପ୍ରାରମ୍ଭିକ ୪ ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇଥିଲା ଭାରତ । ଓପନର ଲୋକେସ୍‌ ରାହୁଲ ୨, ମୁରଲୀ ବିଜୟ ୧୧, ଅଧିନାୟକ ବିରାଟ କୋହଲି ୩, ଆଜିଙ୍କ୍ୟ ରାହାଣେ ୧୩ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ । କିନ୍ତୁ ମୁରଲୀ ବିଜୟ ଦଳର ବିପର୍ଯ୍ୟୟ ସ୍ଥିତି ସୁଧାରି ଥିଲେ । ୨୪୬ ବଲ୍‌ର ସମ୍ମୁଖୀନ ହୋଇ ୭ ଚୌକା ଓ ୨ ଛକା ସହାୟତାରେ ୧୨୩ ରନ୍‌ର ଶତକୀୟ ଇନିଂସ୍‌ ଖେଳିଥିଲେ । ଫଳରେ ଭାରତ ୨୫୦ ରନ୍‌ର ସମ୍ମାନଜନକ ସ୍କୋରରେ ପହଞ୍ଚିଥିଲା । ପୂଜାରା କ୍ୟାରିୟରର ୧୬ତମ ଟେଷ୍ଟ ଶତକ ହାସଲ କରିଛନ୍ତି । ସେହିଭଳି ୧୧ ମାସ ପରେ ଟେଷ୍ଟ ଦଳକୁ ଫେରିଥିବା ରୋହିତ ଶର୍ମାଙ୍କ ଉପରେ ଦଳର ଗୁରୁଦାୟିତ୍ୱ ପଡିଥିଲା । ନଂ.୬ ସ୍ଥାନରେ ବ୍ୟାଟିଂ କରିଥିବା ରୋହିତ ୬୧ ବଲ୍‌ର ସମ୍ମୁଖୀନ ହୋଇ ୨ଟି ଚୌକା ଓ ୩ଟି ଛକା ସହାୟତାରେ ୩୭ ରନ୍‌ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରିଷଭ ପନ୍ତ ୨୫, ରବିଚନ୍ଦ୍ରନ ଅଶ୍ୱିନ ୨୫ ଓ ଈଶାନ୍ତ ଶର୍ମା ୪ ରନ୍‌ କରି ଆଉଟ୍‌ ହୋଇଥିଲେ ।
ବିଦେଶ ମାଟିରେ ଚେତେଶ୍ୱର ପୂଜାରାଙ୍କ ଚମକ ଦେଖିବାକୁ ମିଳିଛି । କ୍ୟାରିୟରର ୧୬ତମ ଶତକ ହାସଲ କରିଥିବା ପୂଜାରା ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଶତକ ଅର୍ଜନ କରିଛନ୍ତି । ତେବେ ଅଷ୍ଟ୍ରେଲିଆ ମାଟିରେ ଏହା ତାଙ୍କର ପ୍ରଥମ ଶତକ । କେବଳ ଏତିକି ନୁହେଁ ସେ ୧୦୮ ଇନିଂସରୁ ୫୦୦୦ ରନ୍‌ ପୂରଣ କରିଛନ୍ତି ।
ବୋଲିଂରେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ, ଜୋସ୍‌ ହାଜେଲଉଡ, ପାର୍ଟ କୁମିନ୍ସ ଓ ନାଥନ ଲିଅନ୍‌ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍‌ ସଫଳତା ପାଇଥିଲେ ।
ଗାଙ୍ଗୁଲିଙ୍କ ସମକକ୍ଷ ପୂଜାରା
ଟିମ୍‌ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ୍‌ ଚେତେଶ୍ୱର ପୂଜାରା ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରି କିମ୍ବଦନ୍ତୀ କ୍ରିକେଟ୍‌ର ସୌରଭ ଗାଙ୍ଗୁଲିଙ୍କ ସମକକ୍ଷ ହୋଇପାରିଛନ୍ତି । ଏକଦା ୮୫ ରନ୍‌ରେ ଦଳ ୬ ୱିକେଟ୍‌ ହରାଇ ସଂଘର୍ଷ କରୁଥିଲା । କିନ୍ତୁ ପୂଜାରା ଟେଲେଣ୍ଡର’ଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ୨୫୦ ରନ୍‌ରେ ପହଞ୍ଚାଇଥିଲେ । ପୂର୍ବରୁ ଗାଙ୍ଗୁଲି ମଧ୍ୟ ଏଭଳି ଏକ ମ୍ୟାଚରେ ନିଜର ଚମକିାରିକା ଦେଖାଇଥିଲେ । ଗାଙ୍ଗୁଲି ଟେଷ୍ଟରେ ୧୬ଟି ଶତକ ହାସଲ କରିଥିଲେ । ପୂଜାରା ତାଙ୍କ ସମକକ୍ଷ ହୋଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ୬୫ତମ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ପୂଜାରା ୨୩୧ ବଲ୍‌ରୁ ଶତକ ପୂରଣ କରିଥିଲେ । ଗାଙ୍ଗୁଲି ୧୩୩ଟି ମ୍ୟାଚ୍‌ରେ ୧୬ଟି ଶତକ ଓ ୩୫ଟି ଅର୍ଦ୍ଧଶତକ କରିଥିଲେ । ପୂଜାରା ଷଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ ଏସିଆ ବାହାରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ଶତକ ହାସଲ କରିବାର ରେକର୍ଡ କରିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here