ଆଡିଲେଡ୍‌: ଭାରତ ଓ ଅଷ୍ଟ୍ରେଲିଆ ମାଟିରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଭାରତ ପ୍ରଥମ ଇନିଂସରେ ୨୫୦ ରନରେ ଅଲ୍‌ ଆଉଟ୍‌ ହୋଇଥିବା ବେଳେ ଅଷ୍ଟ୍ରେଲିଆ ମାତ୍ର ୨୩୫ ରନ୍‌ କରିଛି । ଫଳରେ ଭାରତ ପ୍ରଥମ ଇନିଂସ୍‌ରେ ୧୫ରନ୍‌ର ଅଗ୍ରଣୀ ହାସଲ କରିଛି । ତୃତୀୟ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସ୍‌ ବ୍ୟାଟିଂ ଆରମ୍ଭ କରି ୬୧ ଓଭରରେ ୩ ୱିକେଟ୍‌ ହରାଇ ୧୫୧ରନ୍‌ କରିଛି । ଚେତେଶ୍ୱର ପୂଜାରା ୪୦ ରନ୍‌ ଓ ଆଜିଙ୍କ୍ୟ ରାହାଣେ ୧ ରନ୍‌ କରି ଅପରାଜିତ ଅଛନ୍ତି । ଭାରତ ୧୬୬ ରନ୍‌ର ଅଗ୍ରଣୀ ହାସଲ କରିଥିବା ବେଳେ ହାତରେ ୭ ୱିକେଟ୍‌ ସୁରକ୍ଷିତ ରହିଛି । ଆଉ ଦୁଇ ଦିନ ଖେଳ ବାକିଥିବାରୁ ଫଳାଫଳ ନିଶ୍ଚିତ ବୋଲି ଆଶା କରାଯାଉଛି ।
ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭ ୱିକେଟ୍‌ ହରାଇ ୧୯୧ ରନ୍‌ କରିଥିଲା । ତୃତୀୟ ଦିନ ଅଷ୍ଟ୍ରେଲିଆ ଖେଳାଳି ଦଳୀୟ ସ୍କୋର ବୋର୍ଡରେ ଆଉ ୪୪ ରନ୍‌ ଯୋଡ଼ିବାକୁ ସମର୍ଥ ହୋଇଥିଲା । ୬୧ ରନ୍‌ କରି ଅପରାଜିତ ଥିବା ଟ୍ରେଭିସ୍‌ ହେଡ୍‌ ୭୨ ରନରେ ଆଉଟ୍‌ ହୋଇଥିଲେ । ୯୧.୪ ଓଭରରେ ପ୍ରଥମେ ମିଚେଲ୍‌ ଷ୍ଟାର୍କ ୧୫ ରନ୍‌ କରିପାଭିଲିୟନ ଫେରିଥିବା ବେଳେ ୯୮.୩ ଓଭରରେ ହେଡ୍‌ ଆଉଟ୍‌ ହୋଇଥିଲେ । ମହମ୍ମଦ ସାମିଙ୍କ ବଲରେ ୱିକେଟ୍‌ କିପର ଋଷଭ ପନ୍ତଙ୍କ ହାତରେ ସେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ହାଜେଲ୍‌ଉଡ୍‌ ଶୂନରେ ଆଉଟ୍‌ ହୋଇଥିବା ବେଳେ ନାଥନ ଲିଅନ ୨୪ ରନ୍‌ କରି ଅପରାଜିତ ରହିଥିଲେ ।
ଅଷ୍ଟ୍ରେଲିଆ ପକ୍ଷରୁ ହେଡଙ୍କୁ ଛାଡ଼ି ଦେଲେ ଆଉ କୌଣସି ବ୍ୟାଟ୍ସମ୍ୟାନ୍‌ ଅର୍ଦ୍ଧଶତକ କରିପାରି ନାହାନ୍ତି । ତାଙ୍କ ପଛକୁ ସର୍ବାଧିକ ରନ୍‌ କରିଥିଲେ ପିଟର ହ୍ୟାଣ୍ଡସ୍‌ କମ୍ବ । ସେ ୯୩ ବଲରୁ ୩୪ ରନ୍‌ କରିଥିଲେ । ଓପନର ଆରୋନ୍‌ ଫିଞ୍ଚ ଶୂନରେ ଆଉଟ୍‌ ହୋଇଥିବା ବେଳେ ଅଧିନାୟକ ଟିମ୍‌ ପାଇନ୍‌ ୫ ରନ୍‌ କରିଥିଲେ । ମାର୍କସ୍‌ ହ୍ୟାରିସ୍‌ ୨୬ ଓ ଉସ୍ମାନ୍‌ ଖ୍ୱାଜା ୨୮ ରନ୍‌ କରିଥିଲେ । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ୍‌ ଓ ଯଶପ୍ରୀତ ବୁମରା ୩ଟି ଲେଖାଏଁ ୱିକେଟ୍‌ ନେଇଥିବା ବେଳେ ଇଶାନ୍ତ ଶର୍ମା ଓ ମହମ୍ମଦ ଶାମି ୨ଟି ଲେଖାଏଁ ୱିକେଟ୍‌ ନେଇଛନ୍ତି । ପ୍ରଥମ ଇନିଂସରେ ଚେତେଶ୍ୱର ପୂଜାରାଙ୍କ ୧୨୩ ରନ୍‌ ବଳରେ ଭାରତ ପ୍ରଥମ ଇନିଂସରେ ୨୫୦ ରନ୍‌ କରିଥିଲା ।
ଇନିଂସ୍‌ ଅଗ୍ରଣୀ ପରେ ଦ୍ୱିତୀୟ ପାଳି ଆରମ୍ଭ କରିଥିଲା ଭାରତ । ଲୋକେଶ ରାହୁଲ ଓ ମୁରଲୀ ବିଜୟ ପାଳି ଆରମ୍ଭ କରିଥିଲେ । ରାହୁଲ ୪୪ରନ୍‌ କରି ଆତ୍ମବିଶ୍ୱାସ ଫେରି ପାଇଛନ୍ତି । ହେଲେ ଏହି ଇନିଂସକୁ ଅର୍ଦ୍ଧଶତକରେ ପରିଣତ କରିପାରି ନଥିଲେ । ସେ ୬୭ ବଲରୁ ୩ଟି ଚୌକା ଓ ଗୋଟିଏ ଛକା ମାରି ୪୪ ରନ୍‌ କରିଥିଲେ । ମୁରଲୀ ବିଜୟ ପୁଣି ବିଫଳ ହୋଇଛନ୍ତି । ସେ ୫୩ ବଲର ସମ୍ମୁଖୀନ ହୋଇ ୧୮ରନ୍‌ କରି ଥିବା ବେଳେ ଅଧିନାୟକ ବିରାଟ କୋହଲି ୩୪ରନ୍‌ କରି ସ୍ପିନର ନାଥନ୍‌ ଲିୟନଙ୍କ ଶିକାର ହୋଇଥିଲେ । ବୋଲିଂରେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ, ଜୋଶ ହାଜଲେଉଡ୍‌ ଓ ନାଥନ ଲିୟନ ଗୋଟିଏ କରି ୱିକେଟ ସଫଳତା ପାଇଥିଲେ ।

Loading...

LEAVE A REPLY

Please enter your comment!
Please enter your name here