ଆଡିଲେଡ୍‌: ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ରୋମାଞ୍ଚକ ମୋଡ ନେଇଛି । ମ୍ୟାଚର ପ୍ରଥମ ଦୁଇ ଦିନ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି । ଭାରତ ପ୍ରଥମ ପାଳିରେ ୨୫୦ରନ୍‌ କରି ଅଲଆଉଟ୍‌ ହୋଇଥିବା ବେଳେ ଦ୍ୱିତୀୟ ଦିବସ ଷ୍ଟାମ୍ପ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୮୮ ଓଭରରେ ୭ ୱିକେଟ୍‌ ହରାଇ ୧୯୧ ରନ୍‌ କରିଛି । ଭାରତ ପାଳିଠାରୁ ଅଷ୍ଟ୍ରେଲିଆ ୫୯ ରନ୍‌ ପଛରେ ଥିବା ବେଳେ ହାତରେ ୩ ୱିକେଟ୍‌ ବଳକା ରହିଛି ।
ଦ୍ୱିତୀୟ ଦିନ ଭାରତ ଅସମାପ୍ତ ପ୍ରଥମ ଇନିଂସ୍‌ ୨୫୦/୯ରୁ ଖେଳ ଆରମ୍ଭ କରିଥିଲା । ମହମ୍ମଦ ସାମି ୬ରନ୍‌ କରି ଅପରାଜିତ ଥିଲେ । କି;ୁ ହାଜେଲଉଡଙ୍କ ବଲରେ ୱିକେଟ କିପର ଟିମ୍‌ ପାଇନଙ୍କ ହାତରେ ଧରାପଡିବାରୁ ଭାରତୀୟ ଇନିଂସ୍‌ର ଜବନୀକା ପଡିଥିଲା । ଏକମାତ୍ର ସଫଳ ବ୍ୟାଟ୍ସମ୍ୟାନ ଭାବେ ଚେତେଶ୍ୱର ପୂଜାରା ୧୨୩ରନର ଶତକୀୟ ପାଳି ଖେଳିଥିଲେ । ବୋଲିଂରେ ଅଷ୍ଟ୍ରେଲିଆର ହାଜେଲଉଡ୍‌ ସର୍ବାଧିକ ୩ଟି, ଷ୍ଟାର୍କ, କୁମିନ୍ସ ଓ ନାଥନ ଲିୟନ୍‌ ୨ଟି କରି ୱିକେଟ୍‌ ସଫଳତା ପାଇଥିଲେ ।
ଭାରତକୁ ୨୫୦ରନ୍‌ ମରେ ସୀମିତ ରଖି ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ ବ୍ୟାଟିଂ ଆରମ୍ଭ କରିଥିଲା । ହେଲେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂକୁ କଙ୍ଗାରୁ ସେନା ସାମ୍ନା କରିପାରି ନଥିଲେ । ନିର୍ଭର ଯୋଗ୍ୟ ବ୍ୟାଟ୍ସମ୍ୟାନ୍‌ ଆରୋନ୍‌ ଫିଞ୍ଚ୍‌ ଖାତା ଖୋଲିବାକୁ ସମର୍ଥ ହୋଇନଥିବା ବେଳେ ସନ୍‌ ମାର୍ସ ମାତ୍ର ୨ରନ୍‌ କରି ଦଳର ଭରସା ଜିତି ପାରିନାହାନ୍ତି । ହାରିସ୍‌ ୨୬, ଉସ୍ମାନ୍‌ ଖ୍ୱାଜା ୨୮ରନ, ପିଟର ହ୍ୟାଣ୍ଡସ୍‌କମ୍ବ ୩୪ ରନ୍‌, ଅଧିନାୟକ ତଥା ୱିକେଟ କିପର ଟିମ୍‌ ପାଇନ୍‌ ୫ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ । କି;ୁ ଟ୍ରେଭିସ୍‌ ହେଡ୍‌ ଦଳ ପାଇଁ ଶଙ୍କଟମୋଚକ ସାଜିଛନ୍ତି । ସେ ଖେଳ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୬୧ରନ୍‌ କରିଛନ୍ତି । ଫଳରେ ଆରମ୍ଭରୁ ବିପର୍ଯ୍ୟୟର ସ୍ଥିିତିର ସମ୍ମୁଖୀନ ହୋଇଥିବା ଅଷ୍ଟ୍ରେଲିଆ ଅଣ୍ଟା ସଳଖିବାକୁ ସମର୍ଥ ହୋଇପାରିଛି । ପାଟ୍‌ କୁମିନ୍ସ ୧୦ରନ୍‌ କରିଥିବା ବେଳେ ମିଚେଲ ଷ୍ଟାର୍କ ୮ରନ୍‌ କରି ଅପରାଜିତ ଥିଲେ । ବ୍ୟାଟିଂରେ ଖରାପ ପ୍ରଦର୍ଶନ ଦେଖାଇଥିବା ଭାରତୀୟଙ୍କ ବୋଲିଂ ଉଚ୍ଚକୋଟୀର ଥିଲା । ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ସର୍ବାଧିକ ୩ଟି ୱିକେଟ୍‌ ସଫଳତା ପାଇଥିବା ବେଳେ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଓ ଯଶପ୍ରୀତ ବୁମରା ୨ଟି କରି ୱିକେଟ୍‌ ଅକ୍ତିଆର କରିଥିଲେ । ମ୍ୟାଚର ଆଉ ୩ ଦିନ ଖେଳ ବାକିଥିବାରୁ ଫଳାଫଳ ନିଶ୍ଚିତ ବୋଲି କୁହାଯାଉଛି । ପୂର୍ବରୁ ଉଭୟ ଦଳ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳା ୧-୧ରେ ବରାବର ରହିଥିଲା ।

Loading...

LEAVE A REPLY

Please enter your comment!
Please enter your name here