ସିଡନୀ:  ଟିମ୍‌ ଇଣ୍ଡିଆ ଶନିବାରଠାରୁ ଦିନିକିଆ ସିରିଜ ଅଭିଯାନରେ ପଡ଼ିଆକୁ ଓହ୍ଲାଇବ । ଅନଭିଜ୍ଞ ଅଷ୍ଟ୍ରେଲିଆକୁ ପୁଣିଥରେ ଘରୋଇ ମାଟିରେ ଅଭିଜ୍ଞ କୋହଲି ସେନା ଧୂଳି ଚଟାଇବାକୁ ଯୋଜନା କରିଛି । ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ସିଡ୍‌ନୀରେ ଖେଳାଯିବ । ଏହି ମୈଦାନରେ ଭାରତ ଟେଷ୍ଟ ଶୃଙ୍ଖଳା ଜିତିବାର ଗୌରବ ଅର୍ଜନ କରିଥିଲା । ଏଦୃଷ୍ଟିରୁ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜିତି ଅଗ୍ରଣୀ ହାସଲ କରିବାକୁ ଭାରତୀୟ ଖେଳାଳି ଦୃଢ଼ ମନା ଅଛନ୍ତି । ଅପରପକ୍ଷରେ ନୂଆ ଅଧିନାୟକ ଆରୋନ ଫିଞ୍ଚଙ୍କ ନେତୃତ୍ୱରେ ଦିନିକିଅ ସିରିଜ୍‌ ଖେଳିବାକୁ ଯାଉଛି ଅଷ୍ଟ୍ରେଲିଆ । ଅଭିଜ୍ଞତା କମ୍‌ ହେଲେ ବି ଘରୋଇ ମାଟିରେ ମ୍ୟାଚ୍‌ ଜିତିବାର ସବୁ ଦକ୍ଷତା କଙ୍ଗାରୁ ସେନା ନିକଟରେ ରହିଛି । ତେଣୁ ଟିମ୍‌ ଇଣ୍ଡିଆ ପାଇଁ ପ୍ରଥମ ଦିନିକିଆରେ ବିଜୟ ହାସଲ କରିବା ଏତେଟା ସହଜ ହେବ ନାହିଁ । କାରଣ ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଛୋଟ ଫର୍ମାଟ କ୍ରିକେଟରେ ଭାରତର ରେକର୍ଡ ସେତେଟା ଭଲ ନାହିଁ । ଏହି ପଡିଆରେ ଭାରତ ଅଷ୍ଟ୍ରେଲିଆକୁ ମାତ୍ର ଦୁଇଥର ହରାଇଛି ।
ଟେଷ୍ଟ ସିରିଜ୍‌ରେ ଭାରତ ୨-୧ ବ୍ୟବଧାନରେ ଜିତିବା ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ ଉପସ୍ଥିତି ମ୍ୟାଚରେ ଭାରତ ପାଇଁ ଲାଭଦାୟକ ହେବ । ରୋହିତ ଶର୍ମା, ଶିଖର ଧାୱନ ଦିନିକିଆ ଦଳକୁ ଫେରିଛନ୍ତି । ଏହାବାଦ ଯଶପ୍ରୀତ ବୁମରା ଦଳରେ ନଥିବାରୁ ଦ୍ରୁତ ବୋଲିଂ ବିଭାଗ ଉପରେ ପ୍ରଭାବ ପଡ଼ିପାରେ । ଆହୁରି ମଧ୍ୟ ମହିଳାଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେସ ରାହୁଲ ବିତାଡିତ ହୋଇଛନ୍ତି । ଏହା ସତ୍ତେ୍ୱ ଭାରତ ସିଡ଼ନୀ ମ୍ୟାଚ୍‌ ପାଇଁ ପ୍ରସ୍ତୁତ ଅଛି ବୋଲି ଅଧିନାୟକ ବିରାଟ ବାରମ୍ବାର ଦୋହରାଇଛନ୍ତି । ଏପରିକି ପାଣ୍ଡ୍ୟାଙ୍କ ବଦଳରେ ରବିନ୍ଦ୍ର ଜାଡେଜା ଫିଟ୍‌ ଥିବା କୋହଲି ସୂଚନା ଦେଇଛନ୍ତି ।
ଅଷ୍ଟ୍ରେଲିଆର ଆଲେକ୍ସ କାରେ ଅଧିନାୟକ ଆରୋନ୍‌ ଫିଞ୍ଚଙ୍କ ସହ ଇନିଂସ୍‌ ଓପନ କରିବେ । ଉସ୍ମାନ ଖ୍ୱାଜାଙ୍କୁ ଓ ପିଟର ହ୍ୟାଣ୍ଡସ୍‌କମ୍‌ଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଥିବା ବେଳେ ୮ ବର୍ଷ ପରେ ପିଟର ସିଡଲି ଦିନିକିଆ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି । ଅସୁସ୍ଥତା କାରଣରୁ ମିଚେଲ ମାର୍ସ ଦଳରୁ ବାଦ ପଡ଼ିଛନ୍ତି ।
ତେବେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୋଟ୍‌ ୧୨୮ଟି ଦିନିକିଆ ମ୍ୟାଚ ଖେଳାଯାଇଛି । ଯେଉଁଥିରୁ ଅଷ୍ଟ୍ରେଲିଆ ୭୩ଟି ମ୍ୟାଚରେ ବିଜୟ ଲାଭ କରିଥିବା ବେଳେ ଭାରତ ୪୫ଟି ମ୍ୟାଚରେ ବାଜି ମାରିଛି । ତେବେ ଭାରତ ପାଇଁ ସବୁଠାରୁ ବଡ କଥା ହେଉଛି, ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିଥିବା ଶେଷ ୬ଟି ମ୍ୟାଚରୁ ୫ଟି ମ୍ୟାଚରେ ବିଜୟ ହୋଇଛି ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହା ହେଉଛି ଦଶମ ଦ୍ୱିପାକ୍ଷିକ ଦିନିକିଆ ସିରିଜ । ଏପର୍ଯ୍ୟନ୍ତ ଖେଳାଯାଇଥିବା ୯ଟି ଦିନିକିଆ ସିରିଜରୁ ଅଷ୍ଟ୍ରେଲିଆ ୫ ଏବଂ ଭାରତ ୪ଟି ସିରିଜରେ ବିଜୟ ହୋଇଛନ୍ତି । ତେବେ ସିଡନୀ ଗ୍ରାଉଣ୍ଡ କଥା ଯଦି ଦେଖାଯାଏ, ତେବେ ଏଠାରେ ଭାରତର ପ୍ରଦର୍ଶନ ବହୁତ ଖରାପ ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ଖେଳାଯାଇଥିବା ୧୬ଟି ମ୍ୟାଚ୍‌ ମଧ୍ୟରୁ ମାତ୍ର ୨ଟି ମ୍ୟାଚରେ ଭାରତ ବିଜୟ ହାସଲ କରିପାରିଛି ।

LEAVE A REPLY

Please enter your comment!
Please enter your name here