ମେଲବୋର୍ଣ୍ଣ: ଘରୋଇ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଟେଷ୍ଟ ଶୃଙ୍ଖଳାର ତୃତୀୟ ମ୍ୟାଚ୍‌(ବକ୍ସିଂ ଟେଷ୍ଟ) ବୁଧବାରଠୁ ମେଲବୋର୍ଣ୍ଣରେ ଆରମ୍ଭ ହେବାକୁ ଯାଉଛି । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଥିବାରୁ ସିରିଜ୍‌ ୧-୧ରେ ସ୍ଥିତିରେ ରହିଛି । ତେଣୁ ଭାରତ ଓ ଅଷ୍ଟ୍ରେଲିଆ ପାଇଁ ବକ୍ସିଂ ଡେ’ ଟେଷ୍ଟର ଗୁରୁତ୍ୱ ବଢ଼ିଯାଇଛି । ଭଲ ଲୟରେ ଥିବାରୁ ଭାରତ ଏହି ମ୍ୟାଚ୍‌ ଜିତି ଆଗୁଆ ସିରିଜ୍‌ ଉପରେ କବଜା କରିବାକୁ ପ୍ରୟାସ କରିବ ।
ପୂର୍ବ ପ୍ରଦର୍ଶନ ଦୃଷ୍ଟିରୁ ଭାରତର ଦୁଇ ଓପନର ଲୋକେଶ ରାହୁଲ ଓ ମୁରଲୀ ବିଜୟଙ୍କୁ ଏହି ମ୍ୟାଚରୁ ଡ୍ରପ୍‌ କରାଯାଇଛି । ଦୁହେଁ ମିଳିତ ଭାବେ ୮ଟି ଇନିଂସରୁ ୯୭ରରନ୍‌ କରିଛନ୍ତି । ଫିଟ୍‌ ଥିବା କାରଣରୁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏହି ମ୍ୟାଚ୍‌ ଖେଳିବେ । ରାହୁଲ ଓ ବିଜୟଙ୍କ ଅନୁପସ୍ଥିତିରେ ଅନ୍ୟତମ ଓପନର ମୟଙ୍କ ଅଗ୍ରୱାଲ ଓ ହନୁମା ବିହାରୀ ଇନିଂସ୍‌ ଓପନ କରିବେ । ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ସମ୍ପୂର୍ଣ୍ଣ ଫିଟ୍‌ ନଥିବାରୁ ଜାଡେଜାଙ୍କୁ ତାଙ୍କ ସ୍ଥାନରେ ସୁଯୋଗ ମିଳିବ । ରୋହିତ ଶର୍ମାଙ୍କ ଉପରେ ଅଧିନାୟକ ବିରାଟ କୋହଲି ଆସ୍ଥା ବ୍ୟକ୍ତ କରିଛନ୍ତି । ଫଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସୁଯୋଗ ମିଳିବ ନାହିଁ । ପର୍ଥ ମ୍ୟାଚର ଭୁଲ ନଦୋହରାଇବା ପାଇଁ କୋହଲି ସେନା ଭରପୁର ସମୟ ପାଇଛି ।
ମେଲବୋର୍ଣ୍ଣ ମ୍ୟାଚ୍‌ ନିମନ୍ତେ ଅଷ୍ଟ୍ରେଲିଆ ଦଳରେ କେବଳ ଗୋଟିଏ ପରିବର୍ତ୍ତନ ହେବ । ମିଚେଲ ମାର୍ଶଙ୍କୁ ପିଟର ହ୍ୟାଣ୍ଡସ୍‌କମ୍ବଙ୍କ ସ୍ଥାନରେ ସାମିଲ କରାଯିବ । ଏତଦଭିନ୍ନ ପର୍ଥରେ ଖେଳିଥିବା ଅଷ୍ଟ୍ରେଲିଆ ଦଳ ଅପରିବର୍ତ୍ତିତ ରହିବ । ମିଚେଲ ଷ୍ଟାର୍କ ଏହି ମ୍ୟାଚ୍‌ରେ ୨୦୦ ଟେଷ୍ଟ ୱିକେଟ୍‌ ପୂରଣ କରିବାର ସମ୍ଭାବନା ରହିଛି । ଆଉ ୪ଟି ୱିକେଟ୍‌ ହାସଲ କଲେ ଷ୍ଟାର୍କ ଏହି କୀର୍ତ୍ତିମାନର ଅଧିକାରୀ ହେବେ ।
ସମ୍ଭାବ୍ୟ ଭାରତୀୟ ଦଳ: ମୟଙ୍କ ଅଗ୍ରୱାଲ, ହନୁମା ବିହାରୀ, ଚେତେଶ୍ୱର ପୁଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, ଈଶାନ୍ତ ଶର୍ମା, ଯଶପ୍ରୀତ ବୁମରା ।
ସମ୍ଭାବ ଅଷ୍ଟ୍ରେଲିଆ ଦଳ: ଆରୋନ୍‌ ଫିଞ୍ଚ, ମାର୍କସ୍‌ ହାରିସ୍‌, ଉସ୍ମାନ୍‌ ଖ୍ୱାଜା, ସନ୍‌ ମାର୍ଶ, ଟ୍ରେଭିସ୍‌ ହେଡ୍‌, ମିଜେଲ ମାର୍ଶ, ଟିମ୍‌ ପାଇନ୍‌, ପାଟ୍‌ କୁମିନ୍ସ, ମିଚେଲ ଷ୍ଟାର୍କ, ନାଥନ୍‌ ଲିୟନ, ଜୋଶ ହାଜଲେଉଡ୍‌ ।

ଆଜିର ମ୍ୟାଚ୍‌
ସ୍ଥାନ-ମେଲବୋର୍ଣ୍ଣ
ସମୟ: ସକାଳ ୫ଟା
ପ୍ରସାରଣ: ଷ୍ଟାର ସ୍ପୋର୍ଟ୍ସ

LEAVE A REPLY

Please enter your comment!
Please enter your name here