ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ନୁ୍ୟଜିଲାଣ୍ଡ ଟୁର୍‌ରୁ ବିଶ୍ରାମ ଦିଆଯାଇଛି । ବ୍ୟସ୍ତବହୁଳ କ୍ରୀଡାସୂଚୀକୁ ଦୃଷ୍ଟିରେ ରଖି ବୁମରାଙ୍କୁ ବିଶ୍ରାମ ଦିଆଯିବାକୁ ନିଷ୍ପତ୍ତି ହୋଇଥିବା ବିସିସିଆଇ ସ୍ପଷ୍ଟ କରିଛି । ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ବଦଳ ଖେଳାଳି ଭାବେ ସାମିଲ କରାଯାଇଛି । ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ବୁମରା ୨୧ ୱିକେଟ୍‌ ଅକ୍ତିଆର କରିଥିଲେ । ସେହିଭଳି ପଞ୍ଜାବର ଦ୍ରୁତ ବୋଲର ସିଦ୍ଧାର୍ଥ କଉଲଙ୍କୁ ନୁ୍ୟଜିଲାଣ୍ଡ ସହ ଖେଳାଯିବାକୁଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳା ନିମନ୍ତେ ଦଳରେ ସାମିଲ କରାଯାଇଛି । ଗତବର୍ଷ ବୁମରା ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । କ୍ରିକେଟ୍‌ର ୩ ଫର୍ମାଟ୍‌ରେ ବୁମରା ଟିମ୍‌ ଇଣ୍ଡିଆର ପ୍ରମୁଖ ଅସ୍ତ୍ର ସାଜିଛନ୍ତି । ବର୍ତ୍ତମାନ ଟିମ୍‌ ଇଣ୍ଡିଆର ଦ୍ରୁତବୋଲିଂ ଆଟାକ୍‌ ତାଲିକାରେ ବୁମରା, ମହମ୍ମଦ ସାମି, ଉମେଶ ଯାଦବ, ଭୁବନେଶ୍ୱର କୁମାର ଓ ଈଶାନ୍ତ ଶର୍ମା ଅଛନ୍ତି । ଆଗାମୀ ମେ’ ୩୦ରୁ ଇଂଲଣ୍ଡରେ ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ ଆରମ୍ଭ ହେବାକୁଯାଉଥିବାରୁ ବୁମରାଙ୍କୁ ବିଶ୍ରାମ ଦିଆଯିବା ଉଚିତ ହେବ ବୋଲି କୁହାଯାଇଛି ।
୧୨ ତାରିଖରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ । ଏହାପରେ ନୁ୍ୟଜିଲାଣ୍ଡଗସ୍ତରେ ଯିବ ଭାରତ । ଘରୋଇ ଦଳ ସହ ୫ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ । ୨୩ ତାରିଖରୁ ଏହି ଶୃଙ୍ଖଳା ନୁ୍ୟଜିଲାଣ୍ଡରେ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here